ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣା: ହିଜ୍‌ବୁଲ୍‌ ମୁଜାହିଦୀନର ହାତ, ଅଭିଯୁକ୍ତ ଗିରଫ

ଜମ୍ମୁ: ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗୁରୁବାର ପୂର୍ବାହ୍ନରେ ଗ୍ରେନେଡ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗ୍ରେନେଡ ଆକ୍ରମଣକାରୀର ନାମ ୟାସିର ଭଟ୍ଟ ବୋଲି ପୁଲିସ କହିଛି। ଆତଙ୍କବାଦୀ ସଂଗଠନ ‘ହିଜ୍‌ବୁଲ ମୁଜାହିଦୀନ’ ପାଇଁ ୟାସିର କାମ କରୁଥିଲା। ପୁଲିସ କହିଛି, ଗ୍ରେନେଡ ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଇଜିପି (ଜମ୍ମୁ) ମନୀଷ କୁମାର ସିହ୍ନା ଏକ ବୟାନରେ କହିଛନ୍ତି, ୟାସିର ଭଟ୍ଟ ଜମ୍ମୁ ବସ୍‌ ଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ କରିଥିଲା। ହିଜ୍‌ବୁଲ୍‌ କମାଣ୍ଡର ଫାରୁଖ ଅହମଦ ଓରଫ ଭଟ୍ଟ ଏହି କାମ କରିବାକୁ ଦାୟିତ୍ୱ ଦେଇଥିଲା। ଅଭିଯୁକ୍ତ ଗ୍ରେନେଡ ଆକ୍ରମଣ କରିବା ପାଇଁ ଆଜି ସକାଳୁ ଜମ୍ମୁ ଆସିଥିଲା।

ସୂଚନାଯୋଗ୍ୟ ୨୦୧୮ ମେ’ମାସ ପରଠାରୁ ଜମ୍ମୁ ବସଷ୍ଟାଣ୍ଡ ଅଚଂଳରେ ଏହା ହେଉଛି ୩ୟ ଗ୍ରେନେଡ ଆକ୍ରମଣ ଘଟଣା। ସୁରକ୍ଷା ବ୍ୟବସ୍ଥାକୁ ଖାତିର ନକରି ଆତଙ୍କବାଦୀ ମାନେ ନିଜର ପ୍ରଭାବ ଜାରି ରଖିଛନ୍ତି। ପୁଲିସ ଅଧିକାରୀ କହିଛନ୍ତି, ଉତ୍ତରାଖଣ୍ଡର ହରିଦ୍ୱାର ନିବାସୀ ମହମ୍ମଦ ସରିକ (୧୭ ବର୍ଷ)ଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଦୁର୍ଘଟଣାର ଶିକାର ହେବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୩୨ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତମାନଙ୍କ ମଧ୍ୟରେ ଜମ୍ମୁ କଶ୍ମୀରର ୧୧ ଜଣ, ବିହାରର ୨ ଜଣ ଏବଂ ଛତିଶଗଡ଼ର ଓ ହରିଆଣାର ଜଣେ ଲେଖାଏଁ ବ୍ୟକ୍ତି ଶାମିଲ ଅଛନ୍ତି।

ସମ୍ବନ୍ଧିତ ଖବର