ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିବାଦୀୟ ବୟାନ : କହିଲେ, ଆତଙ୍କବାଦୀମାନେ ପୁଲିସ, ଯବାନଙ୍କୁ ନମାରି ଦୁର୍ନୀତି ଖୋର ନେତାଙ୍କୁ ମାରିବା ଦରକାର

ଶ୍ରୀନଗର : ଆତଙ୍କବାଦୀ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ନେଇ ସାଙ୍ଘାତିକ ଶବ୍ଦ ପ୍ରୟୋଗ କରିଛନ୍ତି ସତ୍ୟପାଲ ମଲିକ। ଭାଷଣ ଦେବାବେଳ ଭ୍ରଷ୍ଟ ରାଜନେତାଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ। ଆତଙ୍କବାଦୀମାନେ ପୁଲିସ, ଯବାନଙ୍କୁ ନମାରି ଦୁର୍ନୀତି ଖୋର ନେତାଙ୍କୁ ମାରିବା ଦରକାର। ସିପାହୀଙ୍କୁ ହତ୍ୟା ନକରି ଭ୍ରଷ୍ଟ ରାଜନେତାଙ୍କୁ ହତ୍ୟା କରିବା ଜରୁରୀ। ଭ୍ରଷ୍ଟ ଓ ଦାଗୀ ନେତାମାନେ ହିଁ ଦେଶକୁ ଲୁଟୁଛନ୍ତି ତେଣୁ ଏମାନଙ୍କୁ ଆତଙ୍କବାଦୀ ଆଗେ ଉଡାଇଦେବା ଉଚିତ ବୋଲି ସତ୍ୟପାଲ ସିଧାସିଧା କହିଛନ୍ତି।

ଜମ୍ମୁର ଯୁବକଙ୍କ ଉପରେ ଟିପ୍ପଣୀ ଦେବାକୁ ଯାଇ ସତ୍ୟପାଲ କହିଛନ୍ତି କି; ଯେଉଁ ପିଲାମାନେ ଗୋଟେ ବନ୍ଧୁକ ପାଇଁ ନିଜର ଲୋକମାନଙ୍କୁ ମାରୁଛନ୍ତି, ପିଏସଓ ଏବଂ ଏସଡିଓଙ୍କୁ ମାରୁଛନ୍ତି ସେମାନେ କଣ ପାଇଁ ମୁଖ୍ୟ ଅଭିଯୁକ୍ତକୁ ମାରୁ ନାହାନ୍ତି। ଦୋଷୀଙ୍କୁ ନମାରି ନିର୍ଦ୍ଦୋଷଙ୍କୁ କଣ ପାଇଁ ଗୁଳି କରି ମାରୁଛନ୍ତି। ଏମାନଙ୍କୁ ନମାରି ବରଂ ସେମାନଙ୍କୁ ମାର, ଯେଉଁମାନେ ତୁମ ଦେଶକୁ ଲୁଟିଛନ୍ତି, ତୁମ ମାଟିକୁ ଲୁଟିଛନ୍ତି ଆଉ କାଶ୍ମୀରର ସବୁ ସମ୍ପତ୍ତିକୁ ଖୋଳ କରିଛନ୍ତି। ବନ୍ଧୁକରେ କିଛି ହାସଲ କରିହେବନି ବୋଲି ସତ୍ୟପାଲ କହିଛନ୍ତି।

NDTV.com

କାର୍ଗିଲ ଲଦାଖ ପର୍ଯ୍ୟଟନ ମହୋତ୍ସବରେ ଯୋଗ ଦେବା ଅବସରରେ ଆତଙ୍କବାଦୀ ଓ ନେତାଙ୍କୁ ନେଇ ଏଭଳି ସାଙ୍ଘାତିକ ବିବାଦୀୟ କଥା କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ତେବେ ସତ୍ୟପାଲଙ୍କ ଆଜିର ଏ ବିବାଦୀୟ ବୟାନ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ଅନେକ ଥର ଏମିତି କିଛି ବିବାଦୀୟ କଥା କହି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସେହି ଆତଙ୍କବାଦ ପ୍ରସଙ୍ଗରେ ଏକ ବୟାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ ସତ୍ୟପାଲ।

ଯେତେବେଳେ ଜଣେ ଆତଙ୍କବାଦୀ ମରିଥିବା ଖବର ମୁଁ ଶୁଣେ ସେତେବେଳେ ମତେ ଭାରି କଷ୍ଟ ହୁଏ, ଭାରି ଦୁଃଖ ହୁଏ। ପୁଲିସ ତାର କାମ ସଠିକ ଭାବେ କରୁଛି। ହେଲେ ରାଜ୍ୟରେ ଯେବେ ଗୋଟିଏ ବି ଜୀବନ ଯାଉଛି ସତରେ ସେବେ ମତେ ଭାରି ଯନ୍ତ୍ରଣା ହେଉଛି। ସେ ଆତଙ୍କବାଦୀ ହେଉ କି ପୁଲିସ ମତେ କଷ୍ଟ ହେଉଛି ବୋଲି କହି ବେଶ ଚର୍ଚ୍ଚାରେ ରହିଥିଲେ ସତ୍ୟପାଲ। ଆଉ ଆଜି ପୁଣି ସେହି ଆତଙ୍କବାଦୀ ଉପରେ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଜମ୍ମୁ ରାଜ୍ୟପାଳ।

ସମ୍ବନ୍ଧିତ ଖବର