କଂଗ୍ରେସର ଜନ ଆକ୍ରୋଶ ର‍୍ୟାଲି : ସବୁ ନିର୍ବାଚନ ଜିତିବୁ

ନୂଆଦିଲ୍ଲୀ : ଦିଲ୍ଲୀ ରାମଲୀଳା ମଇଦାନରେ ଆଜି ଅନୁଷ୍ଠିତ କଂଗ୍ରେସର ଜନ ଆକ୍ରୋଶ ର‍୍ୟାଲିରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏନ୍‌୍‌ଡିଏ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗର୍ଜିଛନ୍ତି। ରାହୁଲ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାରଙ୍କୁ ନେଇ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷର ପ୍ରଭାବ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିବ। ଏବେଠାରୁ କଂଗ୍ରେସ ହିଁ ସବୁ ନିର୍ବାଚନରେ ବାଜିମାତ କରିବ ବୋଲି ରାହୁଲ ଦୃଢୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସର ଏହି ମେଗା ର‍୍ୟାଲିରେ ସମସ୍ତ ରାଜ୍ୟରୁ ଦଳୀୟ ନେତୃବୃନ୍ଦ ଓ ସମର୍ଥକମାନେ ଯୋଗ ଦେଇଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ବହୁ ବରିଷ୍ଠ ନେତା ଏଥିରେ ଉଦ୍‌୍‌ବୋଧନ ଦେଇ ମୋଦି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବାରୁ ଜନତା ଏହାର ଜବାବ ଦେବେ ବୋଲି କହିଥିଲେ।

ଦେଶରେ ଦୁଷ୍କର୍ମ, ଦୁର୍ନୀତି ଓ ଅପରାଧର ମାତ୍ରା ବଢି ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ୍‌ ବସିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ୨୦୧୪ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି। ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳିନାହିଁ କି ଦରଦାମ ନିୟନ୍ତ୍ରଣ ହୋଇନାହିଁ। ଦୁର୍ନୀତି କମିନାହିଁ କି କଳାଧନ ଫେରି ଆସିନାହିଁ। ତେଣୁ ମୋଦି ଏହାର ଉତ୍ତର ଦିଅନ୍ତୁ ବୋଲି ରାହୁଲ କହିଥିଲେ। ଭାରତ ଇତିହାସରେ ପ୍ରଥମ ଥର ପାଇଁ କେବଳ ମୋଦି ସରକାରରେ ହିଁ ନ୍ୟାୟପାଳିକାର ମେରୁଦଣ୍ଡ ଭାଙ୍ଗିବାକୁ ବସିଛି ବୋଲି ରାହୁଲ କହିଛନ୍ତି। ସେପଟେ ରାହୁଲଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିବାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆହ୍ଵାନ ଦେଇଛନ୍ତି।

‘ରାଜ୍ୟ କଂଗ୍ରେସ ମଜଭୁତ ହେବ’
ନୂଆଦିଲ୍ଲୀ : ଜନ ଆକ୍ରୋଶ ର‍୍ୟାଲିର ବାର୍ତ୍ତା ଓଡ଼ିଶାରେ କଂଗ୍ରେସକୁ ମଜଭୁତ କରିବା ସହ କର୍ମୀଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ର‍୍ୟାଲିରେ ସାମିଲ ହୋଇଥିବା ନିରଞ୍ଜନ କହିଛନ୍ତି ଯେ, ଏହି ଉତ୍ସାହକୁ ପାଥେୟ କରି କଂଗ୍ରେସ କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କଲେ ରାଜ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ର‍୍ୟାଲିରେ ଓଡ଼ିଶାର ଶତାଧିକ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଦଳୀୟ କର୍ମୀଙ୍କ ମନୋବଳକୁ ଦୃଢ଼ କରିଥିବା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ସୁଦୂରପ୍ରସାରୀ ହେବ ବୋଲି ପିସିସି ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସ କହିଛନ୍ତି। ରାଜ୍ୟରେ ମିଥ୍ୟା ଶାସନର ଅନ୍ତ ଘଟାଇ ୨୦୧୯ରେ କଂଗ୍ରେସ ସରକାର ଗଢ଼ିବ ବୋଲି ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି। ଏହି ର‍୍ୟାଲି ସବୁ ଦଳୀୟ ନେତୃବୃନ୍ଦଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିବା କଂଗ୍ରେସ ନେତା ମହମ୍ମଦ ମୋକିମ କହିଥିଲେ। ଏଭଳି ଏକ ର‍୍ୟାଲି ମୋଦି ସରକାରଙ୍କ ୪ବର୍ଷର ବିଫଳତାକୁ ଦେଶର କୋଣ ଅନୁକୋଣରେ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ୨୦୧୯ରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଏହି ର‍୍ୟାଲି ସଞ୍ଜିବନୀ ସଦୃଶ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର