ଭାରତ ସହ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ପାଇଁ ଜାପାନର ପ୍ରସ୍ତାବ, ପରସ୍ପରର ସାମରିକ ଘାଟି ବ୍ୟବହାର କରିପାରିବେ

ନୂଆଦିଲ୍ଲୀ : ଆମେରିକା ପରେ ଜାପାନ ଏବେ ଭାରତ ସହିତ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ପାଇଁ ଆଗେଇଆସିଛି । ଏହା ଫଳରେ ଉଭୟ ଦେଶ ପରସ୍ପରର ସାମରିକ ଘାଟି, ନୌସେନା ଘାଟି ଓ ବିମାନଘାଟି ବ୍ୟବହାର କରିପାରିବେ, ଇନ୍ଧନ ପକାଇପାରିବେ । ଚଳିତ ସପ୍ତାହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗ୍ରସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗ୍ରସ୍ତ କାଳରେ ସେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ । ଏହି ଅବସରରେ ହିଁ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଭାରତରେ ଆବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଂଜି ହିରାମାତସୁ କହିଛନ୍ତି । ଏସିଆରେ ଚୀନର ବଢିଚାଲିଥିବା ପ୍ରଭାବକୁ ନେଇ ଉଭୟ ଭାରତ ଓ ଜାପାନ ଚିନ୍ତିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି କରିବାକୁ ଚିନ୍ତା କରୁଛନ୍ତି । ଗତ ଦୁଇ ବର୍ଷ ତଳେ ଅର୍ଥାତ ୨୦୧୬ ମସିହାରେ ଆମେରିକା ଭାରତ ସହ ଏକ ମିଲିଟାରୀ ଲଜିଷ୍ଟିକ୍ସ ସହାୟତା ଚୁକ୍ତି (ଲେମୋଆ) କରିଥିଲା । ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ସାମରିକ ସହଯୋଗୀମାନଙ୍କ ସହ ଏହି ଚୁକ୍ତି କରାଯାଇଥାଏ । ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ନାଟୋ ରାଷ୍ଟ୍ରଙ୍କ ପରି ସମାନ ମାନ୍ୟତା ଏସଟିଏ-୧ ପ୍ରଦାନ କରିବା ପରେ ଋଷିଆ ମଧ୍ୟ ଭାରତକୁ ସମାନ ମାନ୍ୟତା ଦେବା ପାଇଁ ଆଗ୍ରହ ଦେଖାଇଛି ।

ସମ୍ବନ୍ଧିତ ଖବର