ଚୀନ ପଟୁ ବିପଦ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଣି ଥରେ ସାମରିକ ବାହିନୀ ଗଢୁଛି ଜାପାନ

ଟୋକିଓ : ପୁଣି ଥରେ ଜାପାନ ନିଜର ସେନାବାହିନୀ ଗଠନ କରୁଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧପରଠାରୁ ଜାପାନ ପ୍ରଥମ ଥର ପାଇଁ ନିଜର ସାମରିକ ବାହିନୀ ଛିଡା କରିବାକୁ ଯାଉଛି । ଦୁଇ ବର୍ଷ ତଳେ ଜାପାନ ନିଜର ସମ୍ବିଧାନରେ ସଂଶୋଧନ ଆଣି ପୁଣିଥରେ ନିଜର ସାମରିକ ବଜେଟ ବଢାଇବା ସହ ନିଜ ସେନାକୁ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛି । ଏହାର ପ୍ରଥମ ଝଲକ ସ୍ୱରୂପ କିଛି ଦିନତଳେ ଜାପାନ ନିଜର ସାସେବୋ ସାମରିକ ଘାଟିରେ ଏକ ଲଢୁଆ ନୌକମାଣ୍ଡୋ ବାହିନୀର ପ୍ରଥମ ଡ୍ରିଲ୍‌ କରିଛି । ଏହି ବାହିନୀ ଏକ ଦ୍ୱୀପକୁ ଆକ୍ରମଣକାରୀଙ୍କ କବଜାରୁ ଛଡାଉଥିବା ଅଭ୍ୟାସ କରିଥିଲେ ।

ଏସିଆରେ ଚୀନ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଥିବାରୁ ତାହାର ମୁକାବିଲା ପାଇଁ ଜାପାନ ନିଜକୁ ପ୍ରସ୍ତୁତ କରୁଛି । ଚୀନ ମଧ୍ୟ ଜାପାନର କେତେକ ଦ୍ୱୀପକୁ ନିଜର ବୋଲି ଦାବି କରୁଛି । ଉତ୍ତରକୋରିଆ ମଧ୍ୟ ଜାପାନକୁ ନାଲି ଆଖି ଦେଖାଉଛି ।

କିଛି ମାସ ତଳେ ଚୀନ ଜାପାନ ଅଧିକାରରେ ଥିବା ଏକ ଜନଶୂନ୍ୟ ଦ୍ୱୀପକୁ କବଜା କରିନେବା ପରେ ଜାପାନର ତେଚା ପଶିଥିଲା । ଆଗକୁ ଏପରି ଆଶଙ୍କାକୁ ଏଡେଇବା ପାଇଁ ଜାପାନ ନିିଜର ଏହି ମେରିନ କମାଣ୍ଡୋ ବାହିନୀକୁ ପ୍ରସ୍ତୁତ କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମାର ବିଭୀଷିକା ସହିବା ପରେ ଜାପାନ ନିଜର ସାମରିକ ଶକ୍ତିକୁ ସଂକୁଚିତ କରିଥିଲା । ମଇ ୨୦୧୭ରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଜାପାନ ସମ୍ବିଧାନର ଧାରା୯କୁ ସଂଶୋଧନ କରି ପୁଣିଥରେ ଲଢୁଆ ସାମରିକ ବାହିନୀ ଗଢିବା ଲାଗି ପଥ ପରିଷ୍କାର କରିଥିଲେ । ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଜାପାନର ବୈଷୟିକ କ୍ଷମତା ବିଶ୍ୱ ସ୍ତରୀୟ ହୋଇଥିବାରୁ ଜାପାନ ଅତି କମ ଦିନ ମଧ୍ୟରେ ଏକ ଶ୍ରେଷ୍ଠ ସାମରିକ ବାହିନୀ ଛିଡା କରିବାର ଦକ୍ଷତା ରଖୁଛି । ଏପରିକି ଟେକନଲୋଜୀ କ୍ଷେତ୍ରରେ ଜାପାନ ଚୀନଠାରୁ ବହୁ ଆଗରେ ଥିବାରୁ ଓ ଏ କ୍ଷେତ୍ରରେ ଆମେରିକାର ସହାୟତା ମିଳୁଥିବାରୁ ଜାପାନ ନିଜକୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ବିଶେଷ କଷ୍ଟକର ହେବ ନାହିଁ ।

ସମ୍ବନ୍ଧିତ ଖବର