୧୫୯ ଘଣ୍ଟା ଓଭର୍‌ଟାଇମ୍‌ କରି ଜାପାନୀ ରିପୋର୍ଟର୍‌ଙ୍କ ଦେହାନ୍ତ

ଟୋକିଓ: ଗୋଟିଏ ମାସରେ ୧୫୯ ଘଣ୍ଟା ଓଭର୍‌ଟାଇମ୍‌ କରି ଜଣେ ଯୁବତୀ ରିପୋର୍ଟର୍‌ ହୃଦ୍‌ଘାତ ଯୋଗୁଁ ପ୍ରାଣ ହରାଇବାକୁ ଯୋଗୁଁ ନିଜର କାର୍ଯ୍ୟ ପ୍ରଣାଳୀରେ ସଂସ୍କାର ଆଣିବାକୁ ଶପଥ ନେଇଛି ଜାପାନର ଏକ ପବ୍ଲିକ୍‌ ବ୍ରୋଡ୍‌କାଷ୍ଟର୍‌।

ଟୋକିଓରେ ରାଜନୈତିକ ସମାଚାର ପରିକ୍ରମା କରୁଥିବା ଏନ୍‌ଏଚ୍‌କେ ରିପୋର୍ଟର୍‌ ୩୧ ବର୍ଷିୟ ମିଓ୍ଵା ସାଦୋଙ୍କୁ ଜୁଲାଇ ୨୦୧୩ରେ ମୃତାବସ୍ଥାରେ ନିଜ ଶେଯରେ ମରିଯାଇଥିବାର ଦେଖିବାକୁ ମିଳିଥିଲା। ମଲାବେଳେ ମଧ୍ୟ ସେ ନିଜର ମୋବାଇଲ୍‌ ଫୋନ୍‌ଟିକୁ ଜାବୁଡ଼ି ଧରିଥିଲେ ବୋଲି କୁହାଯାଉଛି।

ବର୍ଷେ ପରେ ଜାପାନୀ କର୍ତ୍ତୃପକ୍ଷ କହିଲେ ଯେ ତାଙ୍କର ମୃତ୍ୟୁ ମାତ୍ରାଧିକ ଓଭର୍‌ଟାଇମ୍‌ ସହ ସମ୍ପୃକ୍ତ। ତାଙ୍କ ମୃତ୍ୟୁ ପୂର୍ବରୁ ସେ ମାସରେ ସେ ଦୁଇ ଦିନ ଛୁଟି ପାଇଥିଲେ।

ଏ ଭଳି ଘଟଣାର ପୁନରାବୃତିକୁ ପ୍ରତିରୋଧ କରାଇବାକୁ ସାତୋଙ୍କର ପିତାମାତାଙ୍କ ଚାପରେ ମୁଣ୍ଡ ନୁଅାଁଇ ଏନ୍‌ଏଚ୍‌କେ ଶେଷରେ ୪ ବର୍ଷ ପରେ ଏହି ମାମଲାକୁ ସର୍ବସାଧାରଣରେ ପ୍ରକାଶ କଲେ।

ଦେଶରେ ଚାଲିଥିବା ମାରାତ୍ମକ ଦୀର୍ଘ କାର୍ଯ୍ୟ ନିର୍ଘଣ୍ଟ ମଧ୍ୟରେ ଏହି ମାମଲା ପୁଣି ଥରେ ଜାପାନୀ ‘କାରୋସି’ ବା ମାତ୍ରାଧିକ କାର୍ଯ୍ୟ କରି ମୃତ୍ୟୁ ଘଟିବା ସମସ୍ୟାକୁ ଲୋକଲୋଚନକୁ ଆଣିଛି।

ଦେଶର ଦୀର୍ଘ କାର୍ଯ୍ୟ ନିର୍ଘଣ୍ଟ ସଂସ୍କୃତି ବିରୋଧରେ ଅଭିଯାନ ଚଳାଇଥିବା ଏନ୍‌ଏଚ୍‌କେ ପାଇଁ ଏହି ଘୋଷଣା ଲଜ୍ଜାଜନକ ସାଜିଛି।

ଜୁନ୍‌ ୨୦୧୩ରେ ସାତୋ ଟୋକିଓ ବିଧାନସଭା ନିର୍ବାଚନ ଏବଂ ପର ମାସରେ ଜାତୀୟ ସଂସଦ ନିମନ୍ତେ ଅନୁଷ୍ଠିତ ଏକ ଅପର୍‌-ହାଉସ୍‌ ଭୋଟ୍‌ର ପରିକ୍ରମଣ କରିଥିଲେ।

ଅପର୍‌-ହାଉସ୍‌ ନିର୍ବାଚନର ତିନି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୈନିକ ‘ଆସାହି’ ସଙ୍ଗେ ଏକ ସାକ୍ଷାତ୍‌କାରରେ ତାଙ୍କ ମାଆ କହିଛନ୍ତି: ତା’ର ଜୀବ ଯିବାବେଳେ ବୋଧେ ସେ ମୋ ସଙ୍ଗେ କଥା ହେବକୁ ଚାହୁଁଥିଲା। ସେ କଥା ଭାବିଲାବେଳକୁ ମୋର ଛାତି ଫାଟି ଯାଉଛି। ମିଓ୍ଵା ଯିବା ପରେ ମୋ ଦେହରୁ ଅଧେ ଛିଡ଼ି ଯିବା ପରି ଲାଗୁଛି। ବାକି ଜୀବନକାଳ ମୁଁ ଆଉ ବାସ୍ତବ ହସ ହସି ପାରିବି ନାହିଁ।

୨୦୧୫ ମସିହାରେ ମାସକରେ ୧୦୦ ଘଣ୍ଟାରୁ ଊର୍ଦ୍ଧ୍ୱ ଓଭର୍‌ଟାଇମ୍‌ କରି ଦେନ୍ତସୁ ନାମକ ଏକ ପ୍ରମୁଖ ବିଜ୍ଞାପନ ଏଜେନ୍‌ସିରେ ମାତସୁରି ତାକାହାଶି ନାମ୍ନୀ ଜଣେ ଯୁବତୀ ଆତ୍ମହତ୍ୟା କରିବା ଘଟଣା ସମେତ ଅନ୍ୟାନ୍ୟ କମ୍ପାନିରେ ହେଉଥିବା ଦୁଃଖଦ ମୃତ୍ୟୁ ଘଟନା ଏନ୍‌ଏଚ୍‌କେ ସକ୍ରିୟ ଭାବେ ରିପୋର୍ଟ କରିବା ଯୋଗୁଁ ସମଗ୍ର ଦେଶ ଆଘାତ ପାଇଛି।

ମୃତ୍ୟୁର ବହୁ ସପ୍ତାହ ପୂର୍ବରୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ: ମୁଁ ମରିବାକୁ ଚାହୁଁଛି। ଅନ୍ୟ ଏକ ମେସେଜ୍‌ରେ ଲେଖିଥିଲେ: ମୁଁ ଶାରୀରିକ ଏବଂ ମାନସିକ ଭାବେ ବିଧ୍ୱଂସ୍ତ।

 

ପ୍ରସାରଣ ସେବା କର୍ମଚାରୀମାନଙ୍କର କାର୍ଯ୍ୟାବସ୍ଥାରେ ଉନ୍ନତି ଆଣିବାକୁ ନିୟମ କରିଛନ୍ତି ଏନ୍‌ଏଚ୍‌କେ ମୁଖ୍ୟ।
ଆମେ ଜଣେ ବିଚକ୍ଷଣ ରିପୋର୍ଟରଙ୍କୁ ହରାଇ ଦୁଃଖୀତ। ତାଙ୍କ ମୃତ୍ୟୁର କାରଣ କାର୍ଯ୍ୟଜନିତ ହୋଇଥିବାରୁ ମାମଲାଟିକୁ ଗୁରୁତ୍ୱ ସହ ଗ୍ରହଣ କରୁଛୁ ବୋଲି ଗତକାଲି ପ୍ରେସିଡେଣ୍ଟ୍‌ ରିଓଇଚି ଉଏଦା କହିଛନ୍ତି। ତାଙ୍କ ପିତାମାତାଙ୍କ ସହଯୋଗରେ ଆମେ ସଂସ୍କାର ନିମନ୍ତେ କାମ ଚାଲୁ ରଖିବୁ ବୋଲି ସେ ସମ୍ବାଦିକମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର