ମୁହଁ ଖୋଲିବା ବେଳ ଆସିଛି, ବିଜେପି ସାଂସଦଙ୍କୁ ଯଶବନ୍ତ ସିହ୍ନାଙ୍କ ଖୋଲା ଚିଠି

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ଶାସନ କରିବାର ୪ ବର୍ଷ ବିତି ସାରିଛି, ୫ଟି ବଜେଟ୍‌ ମଧ୍ୟ ଉପସ୍ଥାପନ ହୋଇ ସାରିଛି। ଦେଶକୁ ସୁଧାରିବାର ଅନେକ ସୁଯୋଗ ମିଳିଛି। କିନ୍ତୁ ବିଜେପି ଦେଶର ସେଭଳି କିଛି ଉନ୍ନତି କରିପାରି ନାହିଁ। ଆମେ ଲକ୍ଷ୍ୟଚ୍ୟୁତ ହୋଇଛେ ଏବଂ ଭୋଟରଙ୍କ ଆସ୍ଥା ଓ ବିଶ୍ୱାସ ହରାଇ ବସିଛେ। ଏହା କୌଣସି ବିରୋଧୀ ଦଳ ନେତାଙ୍କ ବୟାନ ନୁହେଁ , ବିଜେପିର ବରିଷ୍ଠ ନେତା ଯଶବନ୍ତ ସିହ୍ନା ସମସ୍ତ ବିଜେପି ସାଂସଦଙ୍କୁ ଏକ ଖୋଲା ଚିଠି ଲେଖି ବିଜେପି ସରକାର ସମ୍ପର୍କରେ ଏସବୁ କଥା କହିଛନ୍ତି। ସାଂସଦମାନେ ଏହାର ଉତ୍ତର ଦେବାପାଇଁ ମଧ୍ୟ ସେ ନିବେଦନ କରିଛନ୍ତି। ସିହ୍ନା କହିଛନ୍ତି, ଏବେ ଯଦି ଆପଣମାନେ ଉତ୍ତର ନଦେବେ, ଚୁପ୍‌ ହୋଇ ବସି ରହିବେ ତେବେ ଏହା ଦେଶ ଓ ଜନତା ଉଭୟଙ୍କ ପ୍ରତି ଅସମ୍ମାନ ହେବ। କେନ୍ଦ୍ର ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ସିହ୍ନା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପତ୍ର ମାଧ୍ୟମରେ ଟାର୍ଗେଟ କରିଛନ୍ତି। ଏହି ଖୋଲା ଚିଠିରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଦଳକୁ ଜିତାଇବା ପାଇଁ ସମସ୍ତ ପ୍ରାର୍ଥୀ ଅନେକ ପରିଶ୍ରମ କଲେ, ଆଉ କିଛି ୨୦୦୪ ମସିହାରୁ ଉପା ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ, ଶେଷରେ ୨୦୧୪ରେ ଯେଉଁ ବିଜୟ ହେଲା, ତାହା ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ଥିଲା। କିନ୍ତୁ ସେଭଳି କିଛି ହେଲା ନାହିଁ। କେନ୍ଦ୍ର ସରକାର ଯେତେ ଡିଣ୍ଡିମ ପିଟିଲେ ବି ଦେଶର ଅର୍ଥନୀତି ପ୍ରକୃତରେ କେତେ ନିମ୍ନକୁ ଗତି କରୁଛି ତାହା ସମସ୍ତଙ୍କୁ ଜଣା। ଚାଷୀ ଆତ୍ମହତ୍ୟା, ବେକାର ସମସ୍ୟା, ଦୁର୍ନୀତି, ବ୍ୟାଙ୍କ୍‌ ଠକେଇ, ସ୍କାମ୍‌ ପରେ ସ୍କାମ୍‌ ଦେଶର ଅବସ୍ଥା ଖରାପ କରି ସାରିଲାଣି। ପୂର୍ବାପେକ୍ଷା ନାରୀ ଏବେ ଅଧିକ ଅସୁରକ୍ଷିତ ଏବଂ ଦୁଷ୍କର୍ମ ଯେମିତି ଏକ ନିତିଦିନିଆ କଥା ହୋଇଗଲାଣି ବୋଲି ସିହ୍ନା କହିଛନ୍ତି। ଅନୁସୂଚିତ ଜାତି/ଜନଜାତି ବର୍ଗର ଲୋକଙ୍କ ପ୍ରତି ବିମୁଖତା, ପ୍ରଧାନମନ୍ତ୍ରୀଙ୍କ ଅଯଥା ବିଦେଶ ଗସ୍ତ, ସୀମାରେ ଅଶାନ୍ତି ଆଦି ପ୍ରସଙ୍ଗ ମଧ୍ୟ ସିହ୍ନା ଉଠାଇଛନ୍ତି। ସଂସଦରେ ସାଂସଦଙ୍କୁ କହିବାର ସୁଯୋଗ ମିଳୁନାହିଁ, ନ୍ୟାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି, ଗଣମାଧ୍ୟମର କଣ୍ଠରୋଧ କରାଯାଉଛି, ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କର୍ପୋରେଟ ହାଉସ ପାଲଟି ଯାଇଛି ବୋଲି ସିହ୍ନା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ବିଫଳତା ଆଗରେ ସରକାରଙ୍କ କିଛି ଭଲ କାମ ମଧ୍ୟ ଫିକା ପଡ଼ିଯାଇଛି। ତେଣୁ ସମସ୍ତେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଏହି ଖୋଲା ଚିଠିରେ ସିହ୍ନା ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର