ଯବାନ ସହିଦ, ୪ ନାଗରିକ ମୃତ

କୁଲଗାମ୍‌ ଏନକାଉଣ୍ଟର, ପେଲେଟ୍‌ ମାଡ଼ରେ ୬୦ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବାବେଳେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳି ବିନିମୟ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ସହ ସେନା ଉପରେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ପ୍ରାୟ ୩ ଶହରୁ ଅଧିକ ଜନତା ସେନା ଉପରେ ପଥର ମାଡ଼ କରିବା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଥିଲା। ସୁରକ୍ଷା ବାହିନୀ ଗୁଳିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଆକ୍ରମଣକାରୀଙ୍କୁ ଘଉଡ଼ାଇବା ପାଇଁ ହୋଇଥିବା ପେଲେଟ ଗୁଳିମାଡ଼ରେ ୬୦ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ଆଖିରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଆଉ ଜଣେ ଯବାନଙ୍କ ଅବସ୍ଥା ଉଦ୍‌୍‌ବେଗଜନକ ରହିଛି ।
ସୂଚନାନୁଯାୟୀ କୁଲଗାମ୍‌ ଜିଲ୍ଲାର ଓ୍ଵାନି ଗ୍ରାମରେ ୨ ଜଣ ଲସ୍କର ଆତଙ୍କବାଦୀ ରହିଥିବା ଖବର ପାଇ ଗତରାତିରୁ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଗତକାଲି ରାତି ୧୧ଟାରୁ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ହେବାଫଳରେ ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇ ଗୁଳିଚାଳନା କରିଥିଲେ। ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ଜାରି ରହିଛି।

ଆଜି ସକାଳୁ ବିଶୃଙ୍ଖଳ ଜନତା ଆତଙ୍କବାଦୀଙ୍କୁ ସମର୍ଥନ କରି ସୁରକ୍ଷାବାହିନୀ ଉପରେ ପ୍ରବଳ ପଥର ମାଡ଼ କରିଥିଲେ। ପୁଲିସ ଗୁଳିରେ ମୃତ ନାଗରିକଙ୍କ ମଧ୍ୟରେ ଫ୍ରିସାଲ୍‌ର ୧୭ ବର୍ଷୀୟ ବିଲାଲ୍‌ ଅହମଦ ତାନ୍ତ୍ରେ, ୨୮ ବର୍ଷୀୟ ସରଜିଲ୍‌ ଅହମଦ ସେଖ ଏବଂ ସୋପିଆ ମଲହୁରାର ୧୫ ବର୍ଷୀୟ ଫୈସାଲ ଏଲାହି ଅଛନ୍ତି। ଆଉ ଜଣଙ୍କ ପରିଚୟ ଜଣାପଡ଼ିନାହିଁ। ସେନା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆଙ୍କ ସୂଚନା ଅନୁଯାୟୀ ସହିଦ ଯବାନଙ୍କ ନାମ ଏସ୍‌. ଗୁଣାକର ରାଓ। ୨୪ ବର୍ଷୀୟ ଯବାନ ଗୁଣାକାର ଆନ୍ଧ୍ରପ୍ରଦେଶ ବାସିନ୍ଦା ଏବଂ ସେ ୨୦୧୨ ମସିହାରେ ସେନାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର