ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ତାଙ୍କ ଜୀବନ କାଳ ମଧ୍ୟରେ କେବେ ବି ଗର୍ଭବତୀ ହୋଇ ନ ଥିଲେ ବୋଲି ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟକୁ ଜଣାଇଛନ୍ତି।। ଏ ନେଇ ମାଡ୍ରାସ ହାଇକୋର୍ଟରେ ଗତକାଲି ତାମିଲନାଡୁ ସରକାର ୧୯୮୦ ପର ଜୟଳଲିତାଙ୍କ ଜୀବନୀ ସମ୍ପର୍କିତ ଭିଡିଓ ଦାଖଲ କରି କୋର୍ଟକୁ ଏ ସମ୍ପର୍କରେ ସୂଚିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ବେଙ୍ଗାଲୁରର ଅମୃତା ନାମକ ଜଣେ ଯୁବତୀ ନିଜକୁ ଜୟଳଳିତାଙ୍କ ଜନ୍ମିତ ସନ୍ତାନ ବୋଲି ଦାବି କରି ମାଡ଼୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ ତାମିଲନାଡ଼ୁ ଆଡ୍ଭୋକେଟ୍ ଜେନେରାଲ ବିଜୟ ନାରାୟଣ କୋର୍ଟରେ କହିଛନ୍ତି ଯେ ଜୟଲଳିତ ତାଙ୍କ ଜୀବଦଶାରେ କେବେ ଗର୍ଭବତୀ ହୋଇ ନ ଥିଲେ। ତେଣୁ ଆବେଦନକାରିଣୀ ଅମୃତା କେବଳ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ହାତେଇବା ପାଇଁ ନିଜକୁ ଜୟଳଳିତାଙ୍କ ଜନ୍ମିତ କନ୍ୟା ବୋଲି ଦାବି କରୁଛନ୍ତି।
ସେହିପରି ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ କୋର୍ଟରେ କହିଛନ୍ତି ଯେ ଯଦି ସେ ତାଙ୍କ ଜନ୍ମିତ ସନ୍ତାନ ତେବେ ତାଙ୍କ ସହିତ ଜୟଳଳିତାଙ୍କର କୌଣସି ଫଟୋ ନାହିଁ କିପରି?। ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ ଜଷ୍ଟିସ ଏସ ବିଦ୍ୟାନାଥନଙ୍କ କୋର୍ଟରେ କହିଛନ୍ତି ଯେ ଅମୃତା ଦାବି କରିଛନ୍ତି ଯେ ସେ ୧୯୮୦ ମସିହା ଅଗଷ୍ଟ ମାସରେ ଜଲଳିତାଙ୍କ ଠାରୁ ଜନ୍ମ ହୋଇଛନ୍ତି। ମାତ୍ର ଶ୍ରୀ ନାରାୟଣ କୋର୍ଟରେ ଏକ ସିନେମା ସମ୍ମାନ ପ୍ରଦାନ ଉତ୍ସବରେ ଉପସ୍ଥିତ ଜୟଳଳିତାଙ୍କ ୧୯୮୦ ମସିହାର ଭିଡ଼ିଓ ଦାଖଲ କରି କହିଛନ୍ତି ଯେ ଏହି ଭିଡିଓରେ ଜୟଳଳିତା ଗର୍ଭବତୀ ଥିବାର କୌଣସି ଲକ୍ଷଣ ଦେଖା ଯାଉନାହିଁ। ସେହିପରି ଜୟଲଳିତାଙ୍କ ଅନ୍ୟ ରକ୍ତ ସମ୍ପର୍କୀୟମାନେ ଅଛନ୍ତି। ତେଣୁ ସେମାନଙ୍କ ସହିତ ଆବେଦନକାରିଣୀ ଅମୃତାଙ୍କ ଡିଏନଏ ନମୂନା ତୁଳନା କରାଯାଇପାରେ ବୋଲି ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ କୋର୍ଟରେ କହିଛନ୍ତି । ଜଷ୍ଟିସ ବିଦ୍ୟାନାଥନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହ ପଇଁ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅମୃତା ତାଙ୍କ ଆବେଦନପତ୍ରରେ ଜୟଲଳିତାଙ୍କ ମୃତଦେହ ସମାଧିରୁ କାଢ଼ି ତାଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି। ଜୟଲଳିତା ବ୍ରାହ୍ମଣ ହୋଇଥିବାରୁ ସେହି ରୀତିନୀତି ଅନୁଯାୟୀ ତାଙ୍କ ଅନ୍ତେଷ୍ଟି କ୍ରିୟା କରିବାକୁ ଅମୃତା ଦାବି କରିବା ସହିତ ସେ ଜୟଲଳିତାଙ୍କ ଜନ୍ମିତ ସନ୍ତାନ ବୋଲି ପ୍ରମାଣ କରିବାକୁ ତାଙ୍କ ଡିଏନଏ ଜୟଲଳିତାଙ୍କ ଡିଏନଏ ସହିତ ମିଶାଇବାକୁ କୋର୍ଟରେ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟରେ ତାମିଲନାଡୁର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ୨୦୧୬ ମସିହା ଡିସେମ୍ବର ମାସ ୫ ତାରିଖ ଦିନ ଦୀର୍ଘଦିନ ଧରି ଡାକ୍ତରଖାନରେ ଚିକିତ୍ସିତ ହେବା ପରେ ମୃତ୍ୟୁବରଣ କରିଥିଲେ ଓ ମେରିନା ବିଚ୍ରେ ତାଙ୍କୁ ସମାଧୀ ଦିଆଯାଇଛି।