ଜେଡିଏସ୍‌ ହିଁ କିଙ୍ଗ୍‌!

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଜେଡିଏସ୍‌ କିଙ୍ଗ ମେକର ନୁହେଁ ବରଂ କିଙ୍ଗ ବୋଲି ଆଜି ରାଜ୍ୟ ଜେଡିଏସ୍‌ ସଭାପତି ଏଚ.ଡି.କୁମାରସ୍ୱାମୀ ପ୍ରମାଣିତ କରିଦେଇଛନ୍ତି। ୨୨୨ ଆସନରୁ ୧୦୪ଟି ଆସନ ପାଇଥିବା ବିଜେପି ସରକାର ଗଢିବାକୁ ଉଦ୍ୟତ ହେବାବେଳକୁ ମାତ୍ର ୩୮ଟି ଆସନ ପାଇଥିବା ଜେଡିଏସ୍‌କୁ ୭୮ଟି ଆସନ ଦଖଲ କରିଥିବା କଂଗ୍ରେସ ସମର୍ଥନ ଜଣାଇଥିଲା। କୁମାରସ୍ୱାମୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଢିବା ନେଇ ସ୍ଥିର ହେବା ପରେ ଜେଡିଏସ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି। ଅର୍ଥାତ୍‌ ଜେଡିଏସ୍‌ କ୍ଷମତାରେ ସାମିଲ ହେବା ସହ, ଶାସନ ଡୋରି ବି ନିଜ ହାତରେ ଧରିଛି।

କଂଗ୍ରେସ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଯେ କୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ପୂର୍ବ ସିଦ୍ଦରାମେୟାଙ୍କ ଘୋଷଣା ପରେ ବହୁ ବରିଷ୍ଠ ନେତା ଜେଡିଏସ୍‌ ସହ ବିଚାରବିମର୍ଶ କରି ପରବର୍ତ୍ତୀ ରଣନୀତି ତୟାର କରିଛନ୍ତି।
ପୂର୍ବରୁ ଜେଡିଏସ୍‌ କିଙ୍ଗମେକର ହେବ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ନିର୍ବାଚନ ପରେ ମଧ୍ୟ ହୋଇଥିବା ଏକଜିଟ ପୋଲରେ ମଧ୍ୟ ରାଜ୍ୟରେ ଝୁଲା ବିଧାନସଭା ହେବା ନେଇ ପରିସ୍ଥିତିର ଆକଳନ କରାଯାଇଥିଲା। ତେବେ ରାଜ୍ୟ ଜେଡିଏସ୍‌ ସଭାପତି ଏଚ.ଡି.କୁମାରସ୍ୱାମୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସେ କିଙ୍ଗ ମେକର ନୁହେଁ ବରଂ କିଙ୍ଗ ହେବେ। ରାଜ୍ୟରେ ବିଜେପିକୁ କ୍ଷମତା ଦଖଲର ସୁଯୋଗ ନଦେବା ସହ ନିଜର ପରାଜୟ ସ୍ୱୀକାର ନକରିବା ପାଇଁ କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବରେ ମଧ୍ୟ କଂଗ୍ରେସ ରାଜି ହେବାରୁ ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର