୨୦୧୯ରୁ ବର୍ଷକୁ ଦୁଇଥର ଜେଇଇ ମେନ୍‌, ନିଟ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଦେଶରେ ଦୁଇଥର ଜାତୀୟସ୍ତରରେ ଇଞ୍ଜିନିୟରିଂ ଓ ମେଡିକାଲ ପରୀକ୍ଷା- ଜେଇଇ ମେନ୍‌ ଓ ନିଟ୍‌ ଅନୁଷ୍ଠିତ ହେବ। ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲ୍‌ରେ ଜେଇଇ ମେନ୍‌ ଏବଂ ଫେବ୍ରୁଆରୀ ଓ ମେ ମାସରେ ନିଟ୍‌ ପରୀକ୍ଷା ହେବ। ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍ସି (ଏନ୍‌ଟିଏ) ଏହି ପରୀକ୍ଷା ଆୟୋଜନ କରିବ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାମନ୍ତ୍ରୀ ପ୍ରକାଶ ଜାଭଡେକର ଶନିବାର ଏ ବାବଦ ଘୋଷଣା କରିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ଓ ଜାତୀୟ ଯୋଗ୍ୟତା ଓ ପ୍ରବେଶିକ ପରୀକ୍ଷା (ନିଟ୍‌)କୁ ଏବେ ନୋଡାଲ୍‌ ଏଜେନ୍ସି ଭାବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଆୟୋଜନ କରୁଛି। ଆସନ୍ତା ବର୍ଷରୁ ଏହା ଏନ୍‌ଟିଏ ଦ୍ୱାରା ପରିଚାଳିତ ହେବ। ଅନ୍ୟପକ୍ଷରେ ଏହି ପରୀକ୍ଷା ସକାଶେ ଉଦ୍ଦିଷ୍ଟ ପାଠ୍ୟକ୍ରମ, ପ୍ରଶ୍ନାବଳି ଫର୍ମାଟ୍‌, ଭାଷା ଓ ଦେୟ ଆଦିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ପ୍ରଚଳିତ ନିୟମ ଅନୁସାରେ ଏହି ପରୀକ୍ଷା ଅଧିକ ସୁରକ୍ଷିତ ଭାବେ ଆୟୋଜିତ ହେବ। ଫଳରେ ସମ୍ଭାବ୍ୟ ପ୍ରଶ୍ନପତ୍ର ଲିକେଜ୍‌ ଭଳି ଘଟଣାର ଆଉ ପୁନରାବୃତ୍ତି ଘଟିବ ନାହିଁ ବୋଲି ଜାଭଡେକର ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିଭଳି ୪ରୁ ୫ ଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ। ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମନପସନ୍ଦର କୌଣସି ତାରିଖ ଚୟନ କରି ପରୀକ୍ଷାରେ ବସିପାରିବେ। ଏହାଦ୍ୱାରା କୌଣସି ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବେନାହିଁ।

ଅପରପକ୍ଷରେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସମୟ ସାରଣୀ ମଧ୍ୟ ଏନ୍‌ଟିଏ ଦ୍ୱାରା ସ୍ଥିର କରାଯିବ ଏବଂ ଏହା ମନ୍ତ୍ରାଳୟର େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ଜାଭଡେକର ଆହୁରି ମଧ୍ୟ କହିଛନ୍ତି ଯେ ସିଏମ୍‌ଏଟି (କମନ୍‌ ମ୍ୟାନେଜ୍‌ମେଣ୍ଟ ଆଡ୍‌ମିସନ୍‌ ଟେଷ୍ଟ) ଓ ଜିପିଏଟି (ଗ୍ରାଜୁଏଟ୍‌ ଫାର୍ମାସି ଆପ୍ଟିଚ୍ୟୁଡ୍‌ ଟେଷ୍ଟ) ପରୀକ୍ଷା ବି ଏନ୍‌ଟିଏ ଦ୍ୱାରା ପରିଚାଳିତ ହେବ। କିନ୍ତୁ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ଆଇଆଇଟିଗୁଡ଼ିକ ଦ୍ୱାରା ପରିଚାଳିତ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ସାଧାରଣ ବଜେଟ୍‌ରେ ଏନ୍‌ଟିଏ ସ୍ଥାପନ ନେଇ ପ୍ରସ୍ତାବ ଦିଆଯାଇଥିଲା। ୨୦୧୭ ନଭେମ୍ବର ୧୦ରେ ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର