ଆଜିଠୁ ଜେଇଇ ମେନ୍‌: ଓଡ଼ିଶାର ୯ ସହରରେ ୩୯ ହଜାର ପରୀକ୍ଷାର୍ଥୀ

ବନ୍ଦ ପାଳନକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେବ ଜେଇଇ ମେନ୍‌। ସାରା ଦେଶରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ୯ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ନେସନାଲ ‌ଟେଷ୍ଟିଂ ଏଜେନ୍ସି ଦ୍ବାରା ପରିଚାଳିତ ଏହି ପରୀକ୍ଷା ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶର ୨୭୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଦୁଇଟି ସେସନ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ। ଜାନୁଆରି ୮ରେ ପେପର୍‌-୨ ଓ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ହେବ। ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଓଡ଼ିଶାର ୯ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥର ଓଡ଼ିଶାରୁ ପ୍ରାୟ ୩୯ ହଜାର ପରୀକ୍ଷାର୍ଥୀ ଜେଇଇ ମେନ୍‌ ଦେବାକୁ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବିତୀୟ ସିଟିଂ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ୫ଟାରୁ ୩୦ ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରୁ ୮ଟା ୩୦ ଓ ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ପରୀକ୍ଷାର୍ଥୀ ‌କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ। ୧୫ ମିନିଟ୍‌ ମଧ୍ୟରେ ପରୀକ୍ଷକଙ୍କ ଦ୍ବାରା ଆଡମିଟ୍‌ କାର୍ଡ ଯାଞ୍ଚ କରାଯିବ। ସକାଳ ୯ଟା ୧୫ ଓ ଅପରାହ୍ଣ ୨ଟା ୧୫ ସୁଦ୍ଧା ପରୀକ୍ଷାର୍ଥୀ ନିଜ ସିଟ୍‌ରେ ବସିବେ। ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ୍‌ କାର୍ଡ ସମେତ ସାଙ୍ଗରେ ପରିଚୟପତ୍ର(ଆଧାର କାର୍ଡ/ଡ୍ରାଇଭିଂ ଲାଇସେନ୍ସ/ଭୋଟର ପରିଚୟପତ୍ର/ ପାର୍ସପୋର୍ଟ/ଆଧାର କାର୍ଡ/ରାସନ୍‌ କାର୍ଡ) ଆଣିବାକୁ ବାଧ୍ୟତାମୂଳକ ହୋଇଛି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, କୋଚିଂ ସେଣ୍ଟରଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପରିଚୟପତ୍ରକୁ ଗ୍ରହଣ କରାଯିବ ନାହିଁ। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ସାଙ୍ଗରେ କୌଣସି ସାମଗ୍ରୀ ଆଣିବା ଉପରେ କଟକଣା ଜାରି ହୋଇଛି। ପ୍ରତିଥର ପରି ଏଥର ମଧ୍ୟ ମୋବାଇଲ୍‌ ଫୋନ୍‌, କାନଫୁଲ, ମାଇକ୍ରୋଫୋନ୍‌, କାଲକ୍ୟୁଲେଟର ସମେତ ପାଣି ବୋତଲ, ଚକୋଲେଟ୍‌, ଖାଦ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଅନ୍ୟପକ୍ଷରେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ମଙ୍ଗଳବାର ଟ୍ରେଡ୍‌ ୟୁନିୟନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଏହାର ପ୍ରଭାବ ପରୀକ୍ଷା ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଅଟୋ ଓ ଟାକ୍ସି ବନ୍ଦ ହେବାକୁ ଥିବାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପରୀକ୍ଷାର୍ଥୀ ହଇରାଣ ହେବେ। ତେଣୁ ଆଜି କେତେଜଣ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ହୋଇଥିବା ସହରରେ ପହଞ୍ଚୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର