୨୦୧୬ କୋଚିଙ୍ଗ୍‌ କ୍ଲାସ୍‌ ପ୍ରଶ୍ନପତ୍ର ସହ ମେଳ ଖାଉଛି ଜେଇଇ (ମେନ୍‌) ପ୍ରଶ୍ନପତ୍ର

ମୁମ୍ବାଇ: ରବିବାର ଦିନ ଜେଇଇ (ମେନ୍‌) ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରଶ୍ନପତ୍ରର କିଛି ଅଂଶ ୨୦୧୬ରେ ଏକ କୋଚିଙ୍ଗ୍‌ ସେଣ୍ଟର୍‌ କରାଇଥିବା ମକ୍‌ ଟେଷ୍ଟ୍‍ର ପ୍ରଶ୍ନପତ୍ର ସହ ପ୍ରାୟ ସମାନ ଜଣାପଡୁଛି।

ଜେଇଇ ପରୀକ୍ଷା ପଦାର୍ଥ ବିଜ୍ଞାନର ସେଟ୍‌ ‘ସି’ ପ୍ରଶ୍ନପତ୍ରରେ ଥିବା ଅନ୍ୟୂନ ୯ ସଂକ୍ଷିପ୍ତ ପ୍ରଶ୍ନ ହାଇଦ୍ରାବାଦରେ ମୁଖ୍ୟାଳୟ ଥିବା ଏକ କୋଚିଙ୍ଗ୍‌ ସେଣ୍ଟର କରାଇଥିବା ମକ୍‌ ଟେଷ୍ଟ୍‍ ପ୍ରଶ୍ନପତ୍ର ସହ ମେଳଖାଉଛି। ଏହାର ପ୍ରବ୍‌ଲେମ୍‌ଗୁଡ଼ିକରେ ଥିବା ଭେଲ୍ୟୁ ମଧ୍ୟ ସମାନ ବୋଲି ସେମାନେ ଦାବି କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏହା ସାମାଜିକ ଗଣମାଧ୍ୟମରେ ଫର୍‌ଓ୍ଵାର୍ଡ ହେବା ପରେ ଘଣ୍ଟାଏ ମଧ୍ୟରେ ଭାଇରାଲ୍‌ ହୋଇଯାଇଥିଲା। ଏ ସଂକ୍ରାନ୍ତରେ କେତେକ ପ୍ରାର୍ଥୀ ଜେଇଇ ପରୀକ୍ଷା ପରିଚାଳନା କରୁଥିବା ସିବିଏସ୍‌ଇ ନିକଟରେ ଅଭିଯୋଗ କରିଛନ୍ତି।

ଜେଇଇ ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ହୋଇଥିବାରୁ ଛାତ୍ରଛାତ୍ରୀମାନେ ବିଗତ ବର୍ଷମାନଙ୍କର ପ୍ରଶ୍ନପତ୍ର ଆଧାରରେ ପ୍ରସ୍ତୁତି ହୋଇଥାଆନ୍ତି। ସିବିଏସ୍‌ଇର ଜନସମ୍ପର୍କ ଅଧିକାରୀ ରାମ ଶର୍ମା କହନ୍ତି: ଆମେ ଏ ସଂକ୍ରାନ୍ତରେ ଖବର ପାଇ ନିର୍ଦେଶକଙ୍କୁ ଅବଗତ କରାଇଛୁ। ଏବେ ତାଙ୍କ ବିବୃତିକୁ ଅପେକ୍ଷା କରାଯାଇଛି।

କିନ୍ତୁ ସେ କୋଚିଙ୍ଗ୍‌ ସେଣ୍ଟର୍‌ର ଅଧିକାରୀମାନେ ଏହାକୁ ଅସ୍ୱୀକାର କରିଛନ୍ତି। ସେଠାକାର ମୁଖପାତ୍ର ଶ୍ରୀନାଥ କହନ୍ତି: ୨୦୧୬ ଚୂଡ଼ାନ୍ତ ପରୀକ୍ଷାରେ ଏ ସବୁ ଆମ ପ୍ରଶ୍ନପତ୍ରରେ ଥିଲା। ଏମିତି ପ୍ରଶ୍ନ କେତେକ ବହିରେ ମଧ୍ୟ ରହିଛି। କୋଚିଙ୍ଗ୍‌ ସେଣ୍ଟର୍‌ର ଆଇଆଇଟି କୋଅର୍ଡିନେଟର୍‌ ଅଶୋକ କୁମାର ବେଦ କହନ୍ତି: ଆମ ରିସର୍ଚ ଟିମ୍‌ ଏହି ଫର୍‌ଓ୍ଵାର୍ଡ ପାଇଛନ୍ତି। ଯାହା ଜଣାପଡୁଛି କେହି ଆମକୁ ବଦନାମ କରିବାକୁ ଏମିତି କରିଛି।
ଅନ୍ୟାନ୍ୟ କୋଚିଙ୍ଗ୍‌ ସେଣ୍ଟର୍‌ମାନେ ମଧ୍ୟ ଏ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସିବିଏସ୍‌ଇରେ ଅଭିଯୋଗ କରିବାକୁ ପରୀକ୍ଷାର୍ଥୀମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର