‘କାର୍ ବୋମା’ରୁ ଜେଇଏମ୍‌ର ଆତଙ୍କୀ ପରିଚୟ

ନୂଆଦିଲ୍ଲୀ: ନିଜର ଉପସ୍ଥିତି ଓ ଉପଦ୍ରବ ଜାହିର କରିବା ପାଇଁ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଆପଣେଇଥିବା କାର୍ ବୋମା ବିସ୍ଫୋରଣ ଏହାର ଅତି ପୁରୁଣା କୌଶଳ। ପ୍ରାୟ ୨୦ ବର୍ଷ ତଳେ ଗଠିତ ଏହି ଆତଙ୍କୀ ସଂଗଠନ ୧୯୯୯ ମସିହାରେ ଏହାର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାରକୁ ଖଲାସ କରିବା ପାଇଁ ଆଫଗାନିସ୍ତାନର କାନ୍ଦାହାର ବିମାନ ବନ୍ଦରରେ ଭାରତୀୟ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ମୁଣ୍ଡ ଜାମିନ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ସରକାରଙ୍କ ସହ ମୂଲଚାଲ କରି ସଫଳ ହୋଇଥିଲା। ସେବେଠାରୁ ପାକିସ୍ତାନର ବାହାବଳପୁରରେ ମାସୁଦ ଆତ୍ମଗୋପନ କରି ଦୁର୍ଦ୍ଦର୍ଷ ତାଲିବାନ ଗୋଷ୍ଠୀ ସହ ସମ୍ପର୍କ ରଖି ବିଶେଷ କରି ଭାରତରେ ନିଜ ବର୍ବର କାଣ୍ଡ ଭିଆଇବା ପାଇଁ ଉଦ୍ୟମ ଜାରି ରଖିଥିଲା। ପରେ ୨୦୦୦ ମସିହାରେ ଏହାର ସଦସ୍ୟ ୧୭ ବର୍ଷୀୟ ସ୍କୁଲ ଛାତ୍ର ଆଫାକ୍ ଅହମଦ ଶ୍ରୀନଗର ସ୍ଥିତ ସେନା କାର୍ଯ୍ୟାଳୟ ଆଗରେ ବିସ୍ଫୋରକ ବୋଝେଇ ମାରୁତି କାରର ଆତ୍ମଘାତୀ ବିସ୍ଫୋରଣ କରି ଭାରତ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଥିଲା।

ଅପରପକ୍ଷେ, ୨୦୦୧ ସେପ୍ଟେମ୍ବର ୧୧ରେ ତାଲିବାନର ଆମେରିକା ଅନ୍ତର୍ଗତ ମ୍ୟାନହଟନ୍ ସ୍ଥିତ ୧୧୦ ମହଲା ବିଶିଷ୍ଟ ବିଶ୍ବ ବାଣିଜ୍ୟ ଭବନ ଆକ୍ରମଣରେ ସାରା ବିଶ୍ବ ସ୍ତବ୍ଧ ହୋଇଥିବା ବେଳେ ଆତଙ୍କବାଦ ବିରୋଧରେ ପାକିସ୍ତାନ ଆମେରିକା ସହ ହାତ ମିଳାଇଥିଲା। ତେବେ ମାସୁଦ ନିଜ କୁତ୍ସିତ କାରନାମାକୁ ଭାରତରେ ଭିଆଇବାକୁ ଚାହିଥିଲା। ସେହିବର୍ଷ ଅକ୍ଟୋବର ପହିଲାରେ ଶ୍ରୀନଗର ସ୍ଥିତ ଜମ୍ମୁକଶ୍ମୀର ବିଧାନସଭା ମୁଖ୍ୟ ଫାଟକରେ ବାରୁଦ ବୋଝେଇ ଟ୍ରକ୍ ବିସ୍ଫୋରଣ କରି ୩୦ରୁ ଅଧିକ ମୃତ୍ୟୁର କାରଣ ସାଜିବା ସହ ଅନୁରୂପ ସଫଳତା ଦୋହରାଇବା ପାଇଁ ଏହାର ଦୁଇ ମାସ ପରେ ୨୦୦୧ ଡିସେମ୍ବରରେ ଭାରତୀୟ ସଂସଦ ଆକ୍ରମଣ ଉଦ୍ୟମ କରିଥିଲା। ତେବେ ଏହି ଘଟଣା ପଡ଼ୋଶୀ ପାକିସ୍ତାନର ସଂପୃକ୍ତିକୁ ଇସାରା କରିବା ସହ ଦୁଇ ଦେଶର ସମ୍ପର୍କକୁ ମାତ୍ରାଧିକ ତିକ୍ତ କରିଦେଇଥିଲା। ସେହିପରି ୨୦୧୬ ଜାନୁଆରିରେ ପଠାନକୋଟ ସ୍ଥିତ ବାୟୁସେନା ଘାଟି ଉପରେ ଆକ୍ରମଣ ଏବଂ ସେପ୍ଟେମ୍ବରରେ ଉରି ଆକ୍ରମଣ ପରେ ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଉଚିତ ଜବାବ ରଖିଥିଲା। ତେବେ ପାକିସ୍ତାନ ପ୍ରୋତ୍ସାହନରେ ମାସୁଦ୍ ଭାରତ ଉପରେ ବାରମ୍ବାର ଏମିତି ଆକ୍ରମଣ ପାଇଁ ମଉକା ଖୋଜିଚାଲିଛି।

ସମ୍ବନ୍ଧିତ ଖବର