ପଞ୍ଜାବର ଅମୃତସର ସମେତ ୫ଟି ରେଳ ଷ୍ଟେସନ୍‌କୁ ବିସ୍ଫୋରଣ ଘଟାଇ ଉଡ଼ାଇ ଦେବାକୁ ଧମକ ଦେଲା ଆତଙ୍କବାଦୀ ସଂଗଠନ ଜୈସ୍‌

ଫିରୋଜପୁର/ ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେବାପରେ ସମଗ୍ର ପଞ୍ଜାବରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ଜୈସ୍‌ର ଏହି ଧମକ ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆ ଯାଇଛି।

ଜାତୀୟ ସ୍ତରର ସମ୍ବାଦ ଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ ଯେ ପଞ୍ଜାବର ଫିରୋଜପୁର ରେଳ ଡିଭିଜନର ଆଞ୍ଚଳିକ ପ୍ରବନ୍ଧକ ବିବେକ କୁମାରଙ୍କ ନିକଟକୁ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ଏରିଆ କମାଣ୍ଡର ମନସୁର ଅହମ୍ମଦ ଏକ ପତ୍ର ପଠାଇଛି। ଏହି ପତ୍ରରେ ଆତଙ୍କବାଦୀ ମନସୁର ଧମକ ଦେଇ କହିଛି ଯେ ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀମାନେ ଜୈସ୍‌ର ସଦସ୍ୟମାନଙ୍କୁ ହତ୍ୟା କରୁଥିବା ଘଟଣାର ପ୍ରତିଶୋଧ ନେବାକୁ ଜୈସ୍‌ ପକ୍ଷରୁ ଫିରୋଜପୁର, ଜଳନ୍ଧର, ଫରିଦ୍‌କୋଟ, ଅମୃତସର ଓ ବର୍ଣ୍ଣାଲା ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ ଜରିଆରେ ଉଡ଼ାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ଏହି ୫ଟ ରେଳ ଷ୍ଟେସନକୁ ଆସନ୍ତା ମେ ୧୩ ତାରିଖରେ ଉଡ଼ାଇ ଦିଆଯିବ ବୋଲି ଲେଖିଥିବା ପତ୍ରରେ ଖୋଲା ଧମକ ଦେଇଛି ଆତଙ୍କବାଦୀ ମନସୁର।

ସମ୍ବନ୍ଧିତ ଖବର