ଜେରୁଜେଲମ ବିବାଦ: ଟ୍ରମ୍ପ୍‌ଙ୍କ ସ୍ୱୀକୃତିକୁ ୟୁରୋପ ଓ ଜାତିସଂଘର ପ୍ରତ୍ୟାଖ୍ୟାନ

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗତକାଲି ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବାପରେ ଏହାକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଆମେରିକା ବିରୋଧୀ ବିକ୍ଷୋଭ ଜାରି ରହିଛି। ଟ୍ରମ୍ପ୍‌ଙ୍କ ଏ ବାବଦ ଘୋଷଣାକୁ ଏହାର ମିତ୍ର ରାଷ୍ଟ୍ରମାନେ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜାତିସଂଘ ମଧ୍ୟ ଗ୍ରହଣ କରିନାହିଁ। ପାଲେଷ୍ଟାଇନକୁ କୌଣସି ଗୁରୁତ୍ୱ ନଦେଇ ଆମେରିକାର ଏଭଳି ବିବାଦୀୟ ଘୋଷଣା କୌଣସି ସ୍ଥିତିରେ ବି ଗ୍ରହଣୀୟ ନୁହେଁ ବୋଲି ଫ୍ରାନ୍‌ସ ମତ ଦେଇଛି। ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଜେରୁଜେଲମକୁ ନେଇ ଲାଗି ରହିଥିବା ବିବାଦ ଟ୍ରମ୍ପ୍‌ଙ୍କ ଘୋଷଣା ପରେ ଅଧିକ ଜଟିଳ ହୋଇଛି ବୋଲି ଫ୍ରାନ୍‌ସ କହିଛି। ଦୁଇ ରାଷ୍ଟ୍ରର ସମାଧାନ ନୀତିକୁ ଅଣଦେଖା କରି ଜେରୁଜେଲମକୁ ନେଇ ଆମେରିକାର ଘୋଷଣା ଅତ୍ୟନ୍ତ ଅପରିଣାମଦର୍ଶୀ ବୋଲି ଜର୍ମାନୀ କହିଛି। ତେବେ ଇସ୍ରାଏଲ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରଛନ୍ତି। ଶାନ୍ତି ସ୍ଥାପନ ଦିଗରେ ଏହା ଆମେରିକାର ଏକ ବଡ଼ ପ୍ରୟାସ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ଅନ୍ୟପକ୍ଷରେ ଇଜିପ୍ଟ, ଲେବାନନ, କତାର ଏବଂ ଜୋର୍ଡାନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଘୋଷଣାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ଦର୍ଶାଇଛନ୍ତି। ଶାନ୍ତି ପ୍ରକ୍ରିୟାକୁ ଭଣ୍ଡୁର କରିବା ସହ ଏହ ବିଶ୍ୱବ୍ୟାପୀ ଅଶାନ୍ତି ଖେଳାଇ ଦେବ ବୋଲି ଏହି ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏସବୁ ରାଷ୍ଟ୍ରରେ ଆମେରିକା ବିରୋଧରେ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଆମେରିକୀୟ ଦୂତାବାସଗୁଡ଼ିକ ଆଗରେ ବିକ୍ଷୋଭ ଜାରି ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଟ୍ରମ୍ପ୍‌ଙ୍କ ପଦକ୍ଷେପକୁ ଇରାନ୍‌ ଦୃଢ଼ ନିନ୍ଦା କରିଛି ଏବଂ ଏହା ଆମେରିକାର ଏକ ଯୁଦ୍ଧ ଘୋଷଣା ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି କହିଛନ୍ତି। ସେହିପରି ଏହି ବିବାଦକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ସିଧାସଳଖ କଥାବର୍ତ୍ତା ହେବା ଜରୁରୀ ଥିବା ବେଳେ ଆମେରିକାର ଏହି ଘୋଷଣା ଏ ଦିଗରେ ସହାୟକ ହେବନାହିଁ ବୋଲି ଜାତିସଂଘ ମହାସଚବ ଆଣ୍ଟୋନିଓ ଗୁଟେର୍ସ କହିଛନ୍ତି।

ପାଲେଷ୍ଟାଇନ୍‌ର ସ୍ଥିତି ତୃତୀୟ ପକ୍ଷ ନିର୍ଦ୍ଧାରଣ କରିପାରିବେ ନାହିଁ: ଭାରତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗତକାଲି ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବା ପରେ ଏହାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଆଜି ଏହି ପ୍ରସଙ୍ଗରେ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ ପାଲେଷ୍ଟାଇନ ନେଇ ଆମର ନୀତି ସ୍ଥିର ଏବଂ ସ୍ୱତନ୍ତ୍ର। ପାଲେଷ୍ଟାଇନର ସ୍ଥିତି ତୃତୀୟ ପକ୍ଷ ନିର୍ଦ୍ଧାରଣ କରିପାରିବେ ନାହିଁ ଏବଂ ଏ ନେଇ ଭାରତ ତା’ର ପୂର୍ବ ନୀତିରେ କାଏମ ରହିବ ବୋଲି ଘୋଷଣା କରିଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତ ନିଜର ଚିନ୍ତନ ଓ ଦୃଷ୍ଟିକୋଣ ଆଧାରରେ ଏହି ସମସ୍ୟାକୁ ପୂର୍ବରୁ ଯେଭଳି ଦେଖୁଥିଲା ସେଥିରେ କୌଣସି ପରିବର୍ତ୍ତନ ହେବନାହିଁ।

ସମ୍ବନ୍ଧିତ ଖବର