ଜେଟ୍‌ ଏୟାରେଓ୍ଵଜ୍‌ ବିମାନର ଜରୁରି ଅବତରଣ: ମଝି ଆକାଶରେ ଅଘଟଣ ନାକ, କାନରୁ ବାହାରିଲା ରକ୍ତ

ମୁମ୍ବାଇ: ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍‌ ଏୟାରେଓ୍ଵଜ୍‌ର ବିମାନରେ ଗୁରୁବାର ଏକ ଅଘଟଣ ଘଟିଛି। ବିମାନର କ୍ୟାବିନ୍‌ ପ୍ରେସର୍‌ ଠିକ୍‌ ସ୍ତରରେ ନରହିବା ଏବଂ ଆଭ୍ୟନ୍ତରୀଣ ବାତାବରଣକୁ ଉପଯୁକ୍ତ ରଖିବାରେ କର୍ମଚାରୀମାନେ ବିଫଳ ହେବାରୁ ଏକାବେଳକେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ନାକ,କାନରୁ ରକ୍ତ ବାହାରିଥିଲା। ଅନେକଙ୍କର ଅସହ୍ୟ ମୁଣ୍ଡ ବିନ୍ଧା ବି ହୋଇଥିଲା। ଏଭଳି ପରିସ୍ଥିତିରେ ବିମାନଟି ଆଉ ଜୟପୁର ନଯାଇ ମୁମ୍ବାଇ ଫେରିଆସିଥିଲା। ଜେଟ୍‌ ଏୟାରେଓ୍ଵଜ୍‌ର ୯ଡବ୍ଲ୍ୟୁ ୬୯୭ ବିମାନ ଆଜି ମୁମ୍ବାଇରୁ ଜୟପୁର ଅଭିମୁଖେ ଉଡ଼ାଣ କରିବା ସମୟରେ ବିମାନ କର୍ମଚାରୀମାନେ ବିମାନର ଆଭ୍ୟନ୍ତରୀଣ ପରିବେଶକୁ ଅନୁକୂଳ ରଖିବା ଲାଗି ଉଦ୍ଦିଷ୍ଟ ସିଷ୍ଟମ୍‌ ସୁଇଚ୍‌ଟିକୁ ଅନ୍‌ କରିପାରିନଥିଲେ। ଫଳରେ ବିମାନ ମଧ୍ୟରେ ଆଭ୍ୟନ୍ତରୀଣ ବାୟୁ ଚଳାଚଳ ଅସମ୍ଭବ ହୋଇପଡ଼ିଥିଲା। ଏହାପରେ ଅକ୍ସିଜେନ୍‌ ମାସ୍କ ଆପେ ଆପେ ଖସିଯାଇଥିଲ। କିଛି ଯାତ୍ରୀ ମଧ୍ୟ ଏହି ମାସ୍କକୁ ନିଜ ମୁହଁରେ ଲଗାଇଥିଲେ। ତେବେ ଏହି ଘଟଣାକ୍ରମରେ ଯାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଯାତ୍ରୀଙ୍କର କାନରୁ ଏବଂ କିଛି ଯାତ୍ରୀଙ୍କ ନାକରୁ ରକ୍ତ ବାହାରିଥିଲା। ଅନେକଙ୍କର ମଧ୍ୟ ମୁଣ୍ଡବିନ୍ଧା ହୋଇଥିଲା। ୫ ଜଣ ଯାତ୍ରୀଙ୍କ କାନକୁ ଠିକ୍‌ରେ ଶୁଭୁନଥିବା ଜଣାପଡ଼ିଛି। କାନ ଭଲ ହେବା ପାଇଁ ପାଖାପାଖି ୧୦ ଦିନ ସମୟ ଲାଗିଯିବ ବୋଲି ଚିକିତ୍ସକମାନେ କହିଛନ୍ତି। ତେବେ ଏହି ସମୟ ମଧ୍ୟରେ ସେମାନଙ୍କୁ ବିମାନ ଯାତ୍ରା ପାଇଁ ବାରଣ କରାଯାଇଛି। ଅସୁସ୍ଥ ଯାତ୍ରୀମାନେ ଏବେ ବିମାନବନ୍ଦର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଘଟଣାରେ ଏବେ ତଦନ୍ତ ଆରମ୍ଭ ହୋଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଡିଜିସିଏକୁ ଏହି ପ୍ରସଙ୍ଗରେ ତୁରନ୍ତ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର