ଲାଇସେନ୍ସ ହରାଇବେ ମହିଳା ପାଇଲଟ୍‌ଙ୍କୁ ଚାପୁଡ଼ା ମାରିଥିବା ଜେଟ୍‌ ପାଇଲଟ୍‌

ମୁମ୍ବାଇ: ନିଜର ମହିଳା ସହ-ପାଇଲଟ୍‌ଙ୍କୁ ଚାପୁଡ଼ା ମାରି ନିଲମ୍ବିତ ଥିବା ଜେଟ୍‌ ଏୟାରେଓ୍ଵଜ୍‌ ପାଇଲଟ୍‌ ନିଜର ଲାଇସେନ୍ସ ହରାଇବାର ଆଶଙ୍କା ଦେଖାଦେଇଛି । ବେସାମରିକ ବିମାନସେବା ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଘଟଣାକୁ ଅତି ଗୁରୁତର ସହ ନେବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କରୁଛି ।

କିଛିଦିନ ତଳେ ଜେଟ୍‌ ଏୟାରେଓ୍ଵଜର ମୁମ୍ବାଇ-ଲଣ୍ଡନ ଫ୍ଲାଇଟ୍‌ରେ ଜଣେ ପାଇଲଟ୍‌ ନିଜର ମହିଳା ସହ-ପାଇଲଟ୍‌ଙ୍କ ସହ ବଚସା ପରେ ତାଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ ମହିଳା ପାଇଲଟ୍‌ ଜଣକ ରାଗିକରି କକ୍‌ପିଟ୍‌ ବାହାରକୁ ଚାଲିଯାଇଥିଲେ । ତାଙ୍କ ପଛେ ପଛେ ଉକ୍ତ ପୁରୁଷ ପାଇଲଟ୍‌ ମଧ୍ୟ କକପିଟ୍‌ ବାହାରକୁ ଚାଲିଯାଇଥିଲେ । କିଛି ସମୟ ଧରି ଫ୍ଲାଇଟର କକ୍‌ପିଟ୍‌ରେ କୌଣସି ପାଇଲଟ୍‌ ନଥିଲେ । ଉଭୟ ପାଇଲଟ ଯାତ୍ରୀମାନଙ୍କ ଜୀବନକୁ ବିପନ୍ନ କରି ବାହାରକୁ ଚାଲିଯାଇଥିଲେ । ଏହାକୁ ଏକ ଅତି ଗୁରୁତର ଅପରାଧ ବୋଲି ଡିଜିସିଏ ବିଚାର କରୁଛି । ଏବେ ତଦନ୍ତ ଚାଲିଥିଲେ ମଧ୍ୟ, ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଂକେତ ମିଳିଛି ।

କାରଣ ବିମାନ ନିରାପତ୍ତା ନିୟମ ଅନୁସାରେ ଯେ କୌଣସି ପରିସ୍ଥିତିରେ ମଧ୍ୟ ଦୁଇଜଣଯାକ ପାଇଲଟ୍‌ କକପିଟ୍‌ ଖାଲି କରିପାରିବେ ନାହିଁ । ଯଦି କୌଣସି କାରଣରୁ ଜଣେ ପାଇଲଟ୍‌ ବାହାରକୁ ଗଲେ, ଜଣେ କ୍ୟାବିନ କ୍ରିଉ ସଦସ୍ୟ ଭିତରକୁ ଆସିବେ । ସହ ପାଇଲଟ ଫେରିବା ପର୍ଯ୍ୟନ୍ତ ସେ କକ୍‌ପିଟ୍‌ରେ ରହିବେ । ଏହାର କାରଣ ହେଉଛି କକପିଟରେ ଏକୁଟିଆ ଥିବା ଅବସ୍ଥାରେ ଯଦି ପାଇଲଟଙ୍କର କୌଣସି ଅସୁବିଧା ହେଲା ତେବେ ଦ୍ୱିତୀୟ ପାଇଲଟ ଆସିବା ପାଇଁ ଉକ୍ତ କ୍ରିଉ ମେମ୍ବର କକ୍‌ ପିଟ୍‌ କବାଟ ଖୋଲିପାରିବେ ।

ସମ୍ବନ୍ଧିତ ଖବର