ଆମଷ୍ଟରଡ୍ୟାମ ଏୟାରପୋର୍ଟରେ ଜେଟ ଏୟାରେଓ୍ଵଜ ବିମାନକୁ ଜବତ କଲା ୟୁରୋପୀୟ କମ୍ପାନି

ନୂଆଦିଲ୍ଲୀ : ଜେଟ ଏୟାରେଓ୍ଵଜର ସଂକଟ ଦିନକୁ ଦିନ ଅଧିକ ଗଭୀର ହେଉଛି । ଆଜି ଆମଷ୍ଟରଡାମରେ ଏକ ୟୁରୋପୀୟ କାର୍ଗୋ କମ୍ପାନି ଜେଟ ଏୟାରେଓ୍ଵଜର ଏକ ବିମାନକୁ ଜବତ କରିଛି । ବକେୟା ଦେୟ ପାଇ ନଥିବାରୁ ଏହି ପଦକ୍ଷେପ ନେଇଛି ୟୁରୋପୀୟ କାର୍ଗୋ କମ୍ପାନି । ଗୋଟିଏ ବିମାନ ସେବା କମ୍ପାନିର ବିମାନ ଜବତ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଜେଟର ଏହି ବୋଇଂ ବିମାନଟି ଆମଷ୍ଟରଡାମ ବିମାନ ବନ୍ଦରରେ ଜବତ ହୋଇଛି । ଜେଟ ଏୟାରେଓ୍ଵଜ ଏବେ ଗଭୀର ଆର୍ଥିକ ସଂକଟ ଦେଇ ଗତି କରୁଛି । କମ୍ପାନିର ପ୍ରାୟ ଦୁଇ ତୃତୀୟାଂଶ ବିମାନ ଉଡାଣ ଭରୁନାହିଁ । ଅନ୍ୟପକ୍ଷରେ ନିଜର ପାଇଲଟ ଓ କର୍ମଚାରୀ ଙ୍କ ଦରମା ମଧ୍ୟ କମ୍ପାନି ଦେଇପାରୁନାହିଁ । ଜେଟ୍‌ ଏୟାରେଓ୍ଵଜର କର୍ମଚାରୀମାନେ ଗତ ୩ ମାସ ହେଲା ଦରମା ପାଇନାହାନ୍ତି ।

ଗତ ମାର୍ଚ୍ଚ ୨୫ରେ କମ୍ପାନିକୁ ଋଣ ଦେଇଥିବା ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ନିଜର ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରି କମ୍ପାନିରେ ସେମାନଙ୍କ ଅଂଶଧନ ୫୦ ପ୍ରତିଶତରୁ ଅଧିକ କରିଦେଇଥିଲେ । ବ୍ୟାଙ୍କମାନେ ଖୁବଶୀଘ୍ର କମ୍ପାନିକୁ ପ୍ରାୟ ୧୫ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିଲେ । ଏହ ସହିତ କମ୍ପାନିର ପ୍ରତିଷ୍ଠାତା ନରେଶ ଗୋଏଲ କମ୍ପାନିର ଅଧ୍ୟକ୍ଷ ପଦ ଛାଡିଥିଲେ ।

ସମ୍ବନ୍ଧିତ ଖବର