ଆଉ ୪ଟି ବିମାନର ଉଡ଼ାଣକୁ ବନ୍ଦ କଲା ଜେଟ୍‌ ଏୟାରୱେଜ୍

ମୁମ୍ବାଇ/ ନୂଆଦିଲ୍ଲୀ: ଘରୋଇ ବିମାନ ଚଳାଚଳ କମ୍ପାନି ଜେଟ୍‌ ଏୟାରୱେଜ୍ ଆଜିଠାରୁ ଆଉ ଚାରିଟି ବିମାନର ଉଡ଼ାଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟ ଗତି କରୁଥିବା ଜେଟ୍‌ ଏୟାରୱେଜ୍ କମ୍ପାନି ତା’ ବିମାନର ଲିଜ୍‌ଧାରୀମାନଙ୍କୁ ଲିଜ୍‌ଚୁକ୍ତି ମୁତାବକ ଅର୍ଥରାଶି ପ୍ରଦାନ କରିବାରେ ବିଫଳ ହେବାପରେ ଶେଷରେ ଆଜିଠାରୁ ଆଉ ଚାରିଟି ବିମାନର ଉଡ଼ାଣକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବା ପାଇଁ ମିଳିଛି ଯେ ଜେଟ୍‌ ଏୟାରୱେଜ୍ କମ୍ପାନି ପ୍ରତିଷ୍ଠା ହେବା ପର ଠାରୁ ତା’ର ୨୫ ବର୍ଷର ଇତିହାସରେ ପୂର୍ବରୁ କେବେ ବି ଏପରି ସଙ୍କଟର ସମ୍ମୁଖୀନ ହୋଇ ନଥିଲା। ଜେଟ୍‌ ଏୟାରୱେଜର ଆର୍ଥିକ ସଙ୍କଟ ଏବେ ଏପରି ଶୋଚନୀୟ ହୋଇପଡ଼ିଛି ଯେ କମ୍ପାନି ପାଖାପାଖି ଅଧାରୁଟ୍‌ରେ ତା ବିମାନ ସେବାକୁ ବନ୍ଦ କରିଦେଇଛି। ଖାଲି ଏତିକି ନୁହେଁ; ନିଜର କର୍ମଚାରୀମାନଙ୍କୁ ମାସାଧିକ କାଳ ଧରି ବେତନ ଦେଇପାରି ନଥିବା ଋଣ ବାବଦ କିସ୍ତି ଓ ଅନ୍ୟାନ୍ୟ ଦେୟ ମଧ୍ୟ ପରିଶୋଧ କରିବାରେ ଅସମର୍ଥ ହୋଇଛି।


ଜେଟ୍‌ ଏୟାରୱେଜର ଭାଇସ୍‌ ପ୍ରେସିଡେଣ୍ଟ କୁଲ୍‌ଦୀପ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କମ୍ପାନିକୁ ଆର୍ଥିକ ସଙ୍କଟରୁ ମୁକୁଳାଇବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି। କମ୍ପାନିର ଏସଙ୍କଟ ସମୟରେ ସହାୟତା କରିବାକୁ ଲିଜ୍‌ଧାରୀମାନଙ୍କୁ ଅନୁରୋଧ କରାଯାଇଚି। ଏବଂ ଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା ପ୍ରକଟ କରିଛନ୍ତି, ଭାଇସ୍‌ ପ୍ରେସିଡେଣ୍ଟ ଶର୍ମା।

ସମ୍ବନ୍ଧିତ ଖବର