ନିଜ ପିଲାଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ଛାଡ଼ିଯାଇଛନ୍ତି ଜେଟଲୀ

ନୂଆଦିଲ୍ଲୀ: ଅସ୍ତ ହୋଇଯାଇଛନ୍ତି ଅରୁଣ | ଆଜି ମଧ୍ୟାହ୍ନରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପି ନେତା ଅରୁଣ ଜେଟଲୀଙ୍କର ଦେହାନ୍ତ ହୋଇଯାଇଛି। । ତେବେ ନିଜ ଅନ୍ତେ ସେ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡି ଚାଲିଯାଇଛନ୍ତି | ଝିଅ ସୋନାଲି ଓ ପୁଅ ରୋହନ ଅରୁଣଙ୍କର ପେସା ଓକିଲାତିକୁ ଆପଣେଇଥିବାବେଳେ ସେମାନଙ୍କ ପାଇଁ ଜେଟଲୀ ପ୍ରାୟ ୪୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଚାଲିଯାଇଛନ୍ତି |

୨୦୧୮ରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାବେଳେ ଜେଟଲୀ ନିଜ ସମ୍ପତ୍ତି ବାବଦରେ ତଥ୍ୟ ରଖିଥିଲେ | ଏଥିରୁ ମିଳିଥିବା ସୂଚନା ମୁତାବକ ଜେଟଲୀଙ୍କର ଦିଲ୍ଲୀର ଫରିଦାବାଦ ଅଂଚଳରେ ଏକ ଫ୍ଲାଟ ରହିଛି ଯାହାର ବଜାର ମୂଲ୍ୟ ୯୦ ଲକ୍ଷ ଟଙ୍କା ଥିବାବେଳେ ଦିଲ୍ଲୀର ନେହେରୁ ପ୍ଲେସ ମାର୍କେଟରେ ଥିବା ଫ୍ଲାଟର ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ରହିଛି | ସେହିପରି ହରିୟାଣାର ଗୁରୁଗ୍ରାମରେ ଥିବା ଫ୍ଲାଟର ମୂଲ୍ୟ ୬ କୋଟି ଟଙ୍କା ଥିବାବେଳେ ଦିଲ୍ଲୀର ନଜଫଗଡ଼ରେ ଥିବା ଘରର ମୂଲ୍ୟ ହେଉଛି ୨ କୋଟି ୮୭ ଲକ୍ଷ ଟଙ୍କା |

ଜେଟଲୀଙ୍କର ଦାମୀ ଗାଡି ଖୁବ ପସନ୍ଦ ଥିଲା | ତାଙ୍କ ପାଖରେ ଏକ ଫର୍ଚ୍ଚୟୁନର କାର ଥିବାବେଳେ ଏହାର ମୂଲ୍ୟ ହେଉଛି ୨୩ ଲକ୍ଷ ଟଙ୍କା | ସେହିପରି ଦୁଇଟି ମର୍ସିଡିଜ କାରର ମୂଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କା ବୋଲି ସେ ଘୋଷଣାପତ୍ରରେ ଲେଖିଥିଲେ | ଜେଟଲୀଙ୍କ ପାଖରେ ୩ କିଲୋଗ୍ରାମ ସୁନା ସହ ୧୫ କିଲୋ ରୂପା ଗହଣା ମଧ୍ୟ ଥିଲା | ଯାହାର ମୂଲ୍ୟ ୮୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି | ସେହିପରି ୪୫ ଲକ୍ଷ ଟଙ୍କାର ହୀରା ଅଳଙ୍କାର ସହ ବଳକା ଅର୍ଥ ବ୍ୟାଙ୍କ ଓ ବିଭିନ୍ନ ସେୟାରରେ ଜମା ହୋଇ ରହିଥିଲା |

ସମ୍ବନ୍ଧିତ ଖବର