ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଝାଡ଼ଖଣ୍ଡର ସରାୟକେଲାରେ ହୋଇଥିବା ଯୁବକଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ | ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଥାନାଧିକାରୀଙ୍କୁ ନିଲମ୍ବିତ କରିଛନ୍ତି | ମିଳିଥିବା ସୂଚନା ମୁତାବକ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ମୁସଲିମ ଯୁବକ ତବରେଜ ଅନସାରୀଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା | ସରାୟକେଲାର ଧାତାକିଡିହ ଗାଁରେ ଚୋରି କରୁଥିବାର ଅଭିଯୋଗ ହୋଇଥିଲା | ପରେ ପୁଲିସ ପକ୍ଷରୁ ତାଙ୍କ ନାମରେ ମାମଲା ରୁଜୁ କରି ଜେଲକୁ ପଠାଇଥିଲା |

Newsmobile

ମୃତକ ତବରେଜଙ୍କ ପତ୍ନୀଙ୍କ କହିବା ମୁତାବକ ତାଙ୍କ ସ୍ୱାମୀ ଜୁନ ୧୭ ତାରିଖ ରାତିରେ ଦୁଇ ସାଥୀଙ୍କ ସହ ଘରକୁ ଫେରୁଥିଲେ | ଏହି ସମୟରେ କିଛି ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ଚୋର ସନ୍ଦେହରେ ଧରି ମାଡ ମାରିଥିଲେ | ପରେ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଥିଲେ | ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇପଡିଥିଲେ ତବରେଜ | ପୁଲିସ ତବରେଜଙ୍କୁ ଉଦ୍ଧାର କରି ତାଙ୍କ ନାମରେ ଚୋରି ମାମଲା ରୁଜୁ କରିଥିଲା | ପରେ ଜେଲକୁ ପଠାଇଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା |

ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା | ତବରେଜଙ୍କ ପରିବାର କହିବା ମୁତାବକ ଚୋରି ସହ ତବରେଜର କୌଣସି ସମ୍ପର୍କ ନଥିଲା | ଏସପି କହିଛନ୍ତି ଯେ ବର୍ତ୍ତମାନ ତବରେଜଙ୍କ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲିଛି | ଏହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି |

 

ସମ୍ବନ୍ଧିତ ଖବର