ଝାଡ଼ଖଣ୍ଡ କୋଇଲା ଦୁର୍ନୀତି ମାମଲା: ଅପରାଧିକ ଷଡ଼ଯନ୍ତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ତିନି ଜଣଙ୍କୁ ବୁଧବାର ଦିନ ଏକ ସ୍ୱତନ୍ତ୍ର ଅଦାଲତ ଅପରାଧିକ ଷଡ଼ଯନ୍ତ୍ର ନିମନ୍ତେ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋଡ଼ା, ପୂର୍ବତନ କୋଇଲା ସଚିବ ଏଚ୍‌ସି ଗୁପ୍ତ, ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟ ସଚିବ ଅଶୋକ କୁମାର ବସୁ ଏବଂ ଅନ୍ୟ ଜଣେ ସରକାରୀ ଅଧିକାରୀଙ୍କୁ ସ୍ପେସାଲ୍‌ ସିବିଆଇ ଜଜ୍‌ ଭାରତ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ଝାଡ଼ଖଣ୍ଡ ଅନ୍ତର୍ଗତ ରାଝାରା ନର୍ଥ କୋଲ୍‌ ବ୍ଲକ୍‌କୁ ବିନି ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଉଦ୍ୟୋଗ୍‌ ଲିମିଟେଡ୍‌କୁ ଦେବାପାଇଁ ଷଡ଼ଯନ୍ତ୍ର କରିଥିଲେ।

ଗୁରୁବାର ଦିନ ଏଥି ପାଇଁ ଚାରି ଜଣଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ।

ସିବିଆଇ ଅଭିଯୋଗ କରିଥିଲା କି, ‘ବିନି ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଉଦ୍ୟୋଗ୍‌ ଲିମିଟେଡ୍‌’ ୨୦୦୭ ମସିହା ଜାନୁଆରି ୮ ତାରିଖ ଦିନ ରାଝାରା ନର୍ଥ କୋଇଲା ବ୍ଲକ୍‌ ଆବଣ୍ଟନ ପାଇଁ ଆବେଦନ କରିଥିଲା। ଯଦିବା ଝାଡ଼ଖଣ୍ଡ ସରକାର ଏବଂ ଇସ୍ପାତ ମନ୍ତ୍ରାଳୟ ‘ବିନି ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଉଦ୍ୟୋଗ୍‌ ଲିମିଟେଡ୍‌’ର ଆବେଦନକୁ ଅନୁମୋଦନ ଦେଇ ନ ଥିଲା, ୩୬ଶ ସ୍କ୍ରିନିଙ୍ଗ୍‌ କମିଟି ଅଭିଯୁକ୍ତ ସଂସ୍ଥାକୁ କୋଇଲା ବ୍ଲକ୍‌ ଦେବା ନିମନ୍ତେ ସୁପାରିସ କରିଥିଲା।

ସିବିଆଇ କହିଛି କି, ‘ବିନି ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଉଦ୍ୟୋଗ୍‌ ଲିମିଟେଡ୍‌’କୁ ଝାଡ଼ଖଣ୍ଡ ସରକାର କୋଲ୍‌ ବ୍ଲକ୍‌ ସୁପାରିସ କରି ନାହିଁ ବୋଲି ସ୍କ୍ରିନିଙ୍ଗ୍‌ କମିଟିର ଚେୟାର୍‌ମ୍ୟାନ୍‌ ଥିବା କୋଇଲା ମନ୍ତ୍ରାଳୟର ମୁଖ୍ୟ ଥିବା  ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଖରେ ତଥ୍ୟ ଲୁଚାଇ ଥିଲେ।

କୋଡ଼ାଙ୍କ ଛଡ଼ା, ଗୁପ୍ତ, ବସୁ, ଉକ୍ତ ସଂସ୍ଥା ଏବଂ ମାମଲାରେ ଅଭିଯୁକ୍ତ ବସନ୍ତ କୁମାର ଭଟ୍ଟାଚାର୍ଯ୍ୟ ଓ ବିପିନ ବିହାରି ସିଂହ ନାମକ ଅନ୍ୟ ଦୁଇ ଜଣ ସରକାରୀ ଚାକିରିଆ, ‘ବିନି ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଉଦ୍ୟୋଗ୍‌ ଲିମିଟେଡ୍‌’ର ନିର୍ଦେଶକ ବୈଭବ ତୁଲସ୍ୟାନ୍‌, କୋଡ଼ାଙ୍କର ଘନିଷ୍ଠ ସହଯୋଗୀ ବିଜୟ ଯୋଶୀ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ନବୀନ କୁମାର ତୁଲସ୍ୟାନ୍‌ ଏହି ମାମଲାରେ ଅଭିଯୁକ୍ତ ଅଟନ୍ତି।

ସମ୍ବନ୍ଧିତ ଖବର