ତ୍ୱରିତ୍‌ ନ୍ୟାୟ! ୨୮ ଦିନରେ ତଦନ୍ତ ଓ ବିଚାର ଶେଷ: ୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ୩ ଅପରାଧୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ଅଦାଲତ

ଦୁମ୍‌କା (ଝାଡ଼ଖଣ୍ଡ)/ ନୂଆଦିଲ୍ଲୀ: ଭାରତର ନ୍ୟାୟିକ ଇତିହାସରେ ଆଜି ଯୋଡ଼ି ହୋଇଛି ଏକ ନୂତନ କିର୍ତ୍ତୀମାନ। ଏକ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଝାଡ଼ଖଣ୍ଡ ଦୁମ୍‌କା ଜିଲ୍ଲା ଦୌରାଜଜ୍‌ ତୌଫିକ୍‌ ଉଲ୍‌ ହାସନ ଆଜି ତିନି ଜଣ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକ ଅପରାଧୀଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁର ଜରିମାନା ମଧ୍ୟ ଲଗାଇଛନ୍ତି। ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ସମସ୍ତ ଅପରାଧୀଙ୍କ ବୟସ ୧୯ରୁ ୨୬ ମଧ୍ୟରେ।

ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଜଘନ୍ୟ ଅପରାଧ ଗତ ଫେବ୍ରୁଆରି ମାସ ୫ ତାରିଖରେ ଘଟିଥିବା ବେଳେ ମାତ୍ର ୨୮ ଦିନ ମଧ୍ୟରେ ଏହାର ସମସ୍ତ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ଶେଷ କରାଯିବା ସହ ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଆଜି (ମାର୍ଚ୍ଚ ୩) ଫାଶୀଦଣ୍ଡରେ ଦଣ୍ଡିତ କରାଯାଇ ପାରିଛି। ଦେଶର ନ୍ୟାୟିକ ଇତିହାସରେ ଏହା ସବୁଠାରୁ ତ୍ୱରିତ୍‌ ବିଚାର ଥିବା କୁହାଯାଉଛି।

NDTV

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ଗତ ଫେବ୍ରୁଆରି ମାସ ୭ ତାରିଖରେ ଦୁମ୍‌କା ଜିଲ୍ଲାର ରାମଗଡ଼ ଥାନା ଅଞ୍ଚଳରୁ ଏକ ୬ ବର୍ଷ ବୟସ୍କା ନାବାଳିକା ଶୁଶୁକନ୍ୟାର ମୃହଦେହକୁ ଜବତ କରିଥିଲା ପୁଲିସ୍‌। ପ୍ରଥମେ ଦୁବୃର୍ତ୍ତମାନେ ନାବାଳିକାଟିକୁ ଗଣଦୁଷ୍କର୍ମ କରିବା ପରେ ତା’ର ତଣ୍ଟିଚିପି ତାକୁ ହତ୍ୟା କରିଥିଲେ। ପରେ ତା’ ମୃତ ହେଦରେ ନିଆଁ ଲଗାଇ ତାକୁ ପୋଡ଼ିବାକୁ ଉଦ୍ୟମ କରି ବିଫଳ ହେବାପରେ ତାକୁ ଗାତ ଖୋଳି ପୋତିଦେଇ ଫେରାର ହୋଇ ଯାଇଥିଲେ।

ତେବେ, ନାବାଳିକାଟିର ମୃତ ଦେହକୁ ଜବତ କଲାପରେ ରାମଗଡ଼ ପୁଲିସ୍‌ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରି ଗତ ଫେବ୍ରୁଆରି ୧୨ ତାରିଖରେ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଥିବା ୩ ଅପରାଧୀ ମିଠୁ ରାଏ, ପଙ୍କଜ ମୋହାଲି ଓ ଅଶୋକ ରାଏକୁ ଗରଫ କରିଥିଲା। ପୁଲିସ୍‌ ହାତରେ ଗିରଫ ହେବାପରେ ୩ ଅପରାଧୀ ସେମାନଙ୍କ ଦୋଷକୁ ସ୍ୱୀକାର କରିବା ସହ ଫେବ୍ରୁଆରି ୫ ତାରିଖରେ ନାବାଳିକାଟିକୁ ମିଳିତ ଭାବେ ଗଣ ଦୁଷ୍କର୍ମ କରି ହତ୍ୟା କରିଥିବା କହିଥିଲେ।

NDTV

ପରବର୍ତ୍ତୀ ସମୟରେ ପୁଲିସ ଏହି ମାମଲାର ତଦନ୍ତ ଶେଷ କରି ୧୪ ଦିନ ମଧ୍ୟରେ ଅଦାଲତରେ ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ୍‌) ଦାଖଲ କରିଥିଲା। ଯାହାର ଶୁଣାଣି ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଦୁମ୍‌କା ଜିଲ୍ଲା ଦୌରାଜଜ୍‌ ତୌଫିକ୍‌ ଉଲ୍‌ ହାସନଙ୍କ ଅଦାଲତରେ ଆରମ୍ଭ ହୋଇଥିଲା। ଯାହାର ଶୁଣାଣି ଶେଷ ହୋଇ ଆଜି ରାୟ ପ୍ରକାଶ ପାଇଛି। ଏବଂ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ୩ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ।

ସମ୍ବନ୍ଧିତ ଖବର