ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନବନ୍ଦର

ନୂଆଦିଲ୍ଲୀ/ଭୁବନେଶ୍ବର : ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦରକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଦୀର୍ଘ ଦିନ ହେଲା ଦାବି ହେଉଥିବାବେଳେ ଏହାକୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଝାରସୁଗୁଡ଼ା ବିମାନବନ୍ଦର ଏଣିକି ‘ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର’ ନାମରେ ପରିଚିତ ହେବ। ଝାରସୁଗୁଡ଼ା ବିମାନବନ୍ଦରର ନାମକରଣ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଝାରସୁଗୁଡ଼ା ବିମାନବନ୍ଦରର ନାମକରଣ ହେବା ଦ୍ବାରା ରାଜ୍ୟ ସରକାରଙ୍କର ଦୀର୍ଘ ଦିନର ଦାବି ପୂରଣ ହେବା ସହ ସ୍ଥାନୀୟ ଜନସାଧାରଣ ଏବଂ ଏହି ଅଞ୍ଚଳର ଲୋକମାନଙ୍କ ଭାବନାକୁ ପ୍ରତିଫଳିତ କରିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ ସମୟରେ ଘୋଷଣା କରିଥିଲେ ଯେ, ଏହି ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ। କିନ୍ତୁ ଏହାପରେ ସରକାରୀ ପ୍ରକ୍ରିୟା ଆରମ୍ଭ ‌ନହେବାରୁ ସ୍ଥାନୀୟ ବିଧାୟକ ନବ ଦାସ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତିନି ଦିନ ତଳେ ଝାରସୁଗୁଡ଼ା ବିମାନବନ୍ଦରର ନାମକରଣ ଏବଂ ନିୟମିତ ବିମାନ ଉଡ଼ାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର