କଳାହାଣ୍ଡିରୁ ଜେଏନୟୁ ଆନ୍ଦୋଳନ, ଚାଙ୍ଗୁ ବଜାଇ ଆନ୍ଦୋଳନ ଜାରି ରଖିଛନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା

ଭୁବନେଶ୍ୱର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ନୂଆଦିଲ୍ଲୀରେ ଜେଏନୟୁ(ଜବାହାରଲାଲ ନେହେରୁ ୟୁନିଭର୍ସିଟି) ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ | ବର୍ଦ୍ଧିତ ଫିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଥିବାବେଳେ ସହସ୍ରାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶୀତ ଅଧିବେଶନର ପ୍ରଥମ ଦିନରେ(ଗତକାଲି) ସଂସଦ ଭବନ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ରାସ୍ତାରେ ପୁଲିସ ସେମାନଙ୍କୁ ପ୍ରତିରୋଧ କରିବାବେଳେ ଉଭୟ ଛାତ୍ର ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ‌ କରିଥିଲା। ଏହା ଫଳରେ ଦିଲ୍ଲୀ ସଂସଦ ଭବନ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ତେବେ ଏହି ଆନ୍ଦୋଳନରେ ଓଡ଼ିଆ ପୁଅ ଜିତେନ୍ଦ୍ର ସୁନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା |

ହାତରେ ଚାଙ୍ଗୁ ଧରି ବଜାଇବା ବେଳେ ପୁଲିସ ତାଙ୍କୁ ଅଟକ ରଖିଥିଲା | ତେବେ ସଂସଦ ଆଡକୁ ଧସେଇ ପଶିବାବେଳେ ପୁଲିସ ଲାଠିମାଡ ମଧ୍ୟ କରିଥିଲା | ଯାହାଫଳରେ ସେ ଆହତ ମଧ୍ୟ ହୋଇଛନ୍ତି | ଗତ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ଜିତେନ୍ଦ୍ର ସୁନା ବିର୍ସା ଆମ୍ବେଦ୍‌କର ଫୁଲେ ଛାତ୍ର ଆସୋସିଏସନ (ବାପସା)ରୁ ପ୍ରାର୍ଥୀ ହୋଇଥିଲେ | ସେ ନିର୍ବାଚନରେ ହାରିଯାଇଥିଲେ ବି ବିଶ୍ୱବିଦ୍ୟାଳୟରେ ତାଙ୍କର ବେଶ ଦବଦବା ରହିଛି | ଏଠାରେ ସୂଚନା ଥାଉ କି ୨୦୧୩ରୁ ଛାତ୍ର ରାଜନୀତିରେ ସକ୍ରିୟ ଥିବା କଳାହାଣ୍ଡି ଜିଲ୍ଲାର ପୁରକେଲା ଗାଁର ଜିତେନ୍ଦ୍ର ସୁନା ପିଲାଦିନରୁ କ୍ଷେତରେ କାମ କରୁଥିଲେ। ତାଙ୍କର ମା’ ପନିପରିବା ବିକ୍ରି କରୁଥିବାବେଳେ ବାପା ମଜୁରୀ ଖଟୁଥିଲେ। ପୁରକେଲାରେ ତାଙ୍କର ଯୁକ୍ତ ୨ ପାଠ୍ୟକ୍ରମ ସାରି ସେ ଦିଲ୍ଲୀ ଚାଲିଆସିଥିଲେ।

ଏଠାରେ ତାଙ୍କ ଭାଇ ଜେନ୍‌ୟୁ ପାଖରେ ଥିବା ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍‌ରେ ମଜୁରିଆ ରୂପେ କାର୍ଯ୍ୟ କରୁଥିଲେ। ଭାଇଙ୍କ ସହାୟତାରେ ଜିତେନ୍ଦ୍ରଙ୍କୁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ରେ ହେଲପର କାମ ମିଳିଥିଲା ଏବଂ ପ୍ରାୟ ୨ ବର୍ଷ ସେ ଏହି କାମ କରିଥିଲେ। ୨୦୧୩ରେ ଜିତେନ୍ଦ୍ର ସୁନା ଜେଏନ୍‌ୟୁରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମ୍‌ଏ (ଇତିହାସ)ରେ ନାମ ଲେଖାଇଲେ ତଥା ଏମ୍‌ଏ ପରେ ଏମଫିଲ୍ ପାଠ୍ୟକ୍ରମ ମଧ୍ୟ ଶେଷ କଲେ। ଏମ୍‌ଏ ଓ ଏମଫିଲ୍ କରିବା ସମୟରେ ସେ ବାପସା ସଂଗଠନ ସହିତ ଯୋଡି ହୋଇଯାଇଥିଲେ ଏବଂ ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଜଣେ ଉତ୍ତମ ବକ୍ତା ତଥା ସଂଗଠକ ରୂପେ ସେ ଜେଏନ୍‌ୟୁରେ ପରିଚିତ। ବର୍ତ୍ତମାନ ସେ ଜେଏନ୍‌ୟୁରେ ପିଏଚଡି ଛାତ୍ର ଅଛନ୍ତି |

ସମ୍ବନ୍ଧିତ ଖବର