ଜମ୍ମୁ ଓ କଶ୍ମୀର: ଶ୍ରୀନଗର ଉପକଣ୍ଠରେ ଗୁଳି ବିନିମୟ ଘଟି ତିନି ଜଣ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶ୍ରୀନଗର ଠାରେ ଆଜି ନିରାପତ୍ତା ବଳ ଏନ୍‌କାଉଣ୍ଟ୍‌ର କରି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ପ୍ରତିବାଦକାରୀ ଏବଂ ଲ’ ଏନ୍‌ଫୋର୍ସମେଣ୍ଟ୍‌ ଏଜେନ୍‌ସିଙ୍କ ସହ ସଂଘର୍ଷ ଘଟି ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି।

ଦୁଇ ସିଆର୍‌ପିଏଫ୍‌ ଯବାନ ଏବଂ ଜଣେ ପୁଲିସ ଆହତ ହେବା ସହ ଶ୍ରୀନଗରର ଚତ୍ତାବାଲ ଠାରେ ଗୁଳିବିନିମୟ ସମାପ୍ତ ହୋଇଛି। ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆର୍‌ଏଫ୍‌ଙ୍କ ମିଳିତ ଦଳ ତିନି ଆତଙ୍କବାଦୀଙ୍କ ଶବ ଉଦ୍ଧାର କରିଛନ୍ତି।

ପ୍ରତିବାଦକାରୀମାନେ ନିରାପତ୍ତା ବଳଙ୍କ ଉପରକୁ ଟେକା ପକାଇବାରୁ ଚତ୍ତାବାଲ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଂଘର୍ଷର ସୂତ୍ରପାତ ହୋଇଥିଲା।
ଏଥିରେ କେତେକ ସାଧାରଣ ନାଗରିକ ଆହତ ହେବା ସହ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ହୋଇଥିବା ଲୋକ ଜଣକ ହେଉଛନ୍ତି ଆଦିଲ୍‌ ଅହମ୍ମଦ ୟାଦୂ।

ଶ୍ରୀନଗରର କେନ୍ଦ୍ରସ୍ଥଳୀ ଚତ୍ତବାଲ୍‌ ଅଞ୍ଚଳରେ ଆତଙ୍କବାଦୀ ଛପି ରହିଛନ୍ତି ବୋଲି ସୂଚନା ପାଇ ନିରାପତ୍ତା ବଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଚଳାଇବା ବେଳେ ଗୁଳି ବିନିମୟ ହୋଇଥିଲା।

ସମଗ୍ର ଶ୍ରୀନଗରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର