ଜବାବ ଚାହୁଛି ଭାରତ

ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର, ପାକିସ୍ତାନ କଳାକାରଙ୍କୁ ବାସନ୍ଦ, କଶ୍ମୀର ଉପତ୍ୟକାରେ ମାଷ୍ଟରମାଇଣ୍ଡ, ୭୦ ଅଟକ, ପଚରାଉଚରା ଜାରି

ନୂଆଦିଲ୍ଲୀ : ପୁଲୱାମା ଉଗ୍ରପନ୍ଥୀ ଆକ୍ରମଣ ଘଟଣାରେ ଏବେ ବି ସାରାଦେଶରେ ପ୍ରତିକ୍ରିୟା ‌ତୀବ୍ର ହେବାରେ ଲାଗିଛି। ଆତଙ୍କବାଦୀ ଓ ପାକିସ୍ତାନ ବିରୁଦ୍ଧରେ କଡ଼ା ଜବାବ ଚାହୁଁଛନ୍ତି ଦେଶବାସୀ। ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା ଅବ୍ୟାହତ ରହିଛି। ବିଭିନ୍ନ ଅନୁଷ୍ଠାନଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଏହି ଘଟଣାରେ ଖାଲି ପ୍ରତିକ୍ରିୟା ନୁହେଁ, ବାସ୍ତବ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ୬ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଛନ୍ତି। ପାକିସ୍ତାନ କଳାକାରଙ୍କୁ ମଧ୍ୟ ଭାରତରେ ବାସନ୍ଦ କରାଯାଇଛି। ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବଲିଉଡ୍‌ କଳାକାର ସଙ୍ଗଠନ ଆଇଏଫ୍‌ଟିଡିଏ।

ଗତକାଲି ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ପରିବେଶ କେବଳ ଶୋକାକୁଳ ହୋଇନଥିଲା, ଯବାନଙ୍କ ବଳିଦାନ ଲୋକମାନଙ୍କୁ ଜାତୀୟତାରେ ଉଦ୍‌ବୁଦ୍ଧ କରିଥିଲା। ସମପରିମାଣରେ ଲୋକମାନେ ଆତଙ୍କବାଦୀ ଓ ଏହାର ପ୍ରୋତ୍ସାହନକାରୀ ପାକିସ୍ତାନ ବିରୁଦ୍ଧରେ କ୍ରୋଧ ଓ ଆକ୍ରୋଶ ଭାବ ପ୍ରକାଶ କରିଥିଲେ।

ଯାହା ଆଜି ବି ଅବ୍ୟାହତ ରହିଛି। ଆତଙ୍କବାଦୀଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଦେଶର କୋଣଅନୁକୋଣରେ ଶୋଭାଯାତ୍ରା ଦେଖିବାକୁ ମିଳିଛି।

ଆଜି ଏହି ଘଟଣାର ପ୍ରତିବାଦରେ କେନ୍ଦ୍ର ସରକାର ବଡ଼ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରର ୬ ଜଣ ବିଚ୍ଛିନ୍ନତାବାଦୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଆଜି ସନ୍ଧ୍ୟାଠାରୁ ପ୍ରତ୍ୟାହାର କରାଯାଇଛି। ଏହି ୬ ଜଣ ହେଲେ, ହୁରିୟାତ୍‌ର ମିର୍‌ୱେଜ୍‌ ଉମାର ଫାରୁକ୍‌, ଫଜଲ୍‌ ହକ୍‌ କ୍ବେରେସି ଓ ଅବଦୁଲ୍‌ ଘନୀ ଭଟ; ପିପୁଲ୍‌ କନ୍‌ଫେରେନ୍ସର ବିଲାଲ୍‌ ଲୋନ୍‌; ଜମ୍ମୁ-କଶ୍ମୀର ଲିବେରେସନ୍‌ ଫ୍ରଣ୍ଟ୍‌ର ହାସିମ୍‌ କ୍ବେରେସି ଏବଂ, ଜମ୍ମୁ-କଶ୍ମୀର ଡେମୋକ୍ରାଟିକ୍‌ ଫ୍ରିଡମ୍‌ ପାର୍ଟିର ସବିର ଶାହ। ଏହି ୬ ଜଣଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ସମୁଦାୟ ୨୮ ଲକ୍ଷ ଟଙ୍କ‌ା ଖର୍ଚ୍ଚ କରୁଥିଲେ। ମିର୍‌ୱେଜ୍‌ ଉମାର ଫାରୁକ୍‌ଙ୍କ ଜେଡ୍‌- ବର୍ଗର ସୁରକ୍ଷା ପାଇଁ ସର୍ବାଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ଏବଂ ୭୦ ଜଣ ସୁରକ୍ଷା କର୍ମଚାରୀ ତାଙ୍କୁ ଦିନରାତି ଜଗି ରହିବାକୁ ପଡ଼ୁଥିଲା। ଅନ୍ୟମାନଙ୍କୁ ୱାଇ-ବର୍ଗର ସୁରକ୍ଷା ଯୋଗାଇ ଦିଆଯାଉଥିଲା। ସେମାନଙ୍କ ପାଇଁ ୫ରୁ ୭ ଜଣ ସୁରକ୍ଷା ଯବାନ ନିୟୋଜିତ କରାଯାଇଥିବାବେଳେ ଏଥିପାଇଁ ଜଣଙ୍କ ପିଛା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଉଥିଲା। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

କେବଳ ସରକାରଙ୍କ ପକ୍ଷରୁ ନୁହେଁ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଘଟଣା ପ୍ରତିବାଦରେ ପଦକ୍ଷେପ ଗ୍ରହଣ କରାଯାଇଛି। ଫିଲ୍ମ କଳାକାରଙ୍କ ସଂଗଠନ ଆଇଏଫଟିଡିଏ ସୁରକ୍ଷା ବଳ ଓ ସରକାରଙ୍କ ପାଖରେ ଛିଡ଼ା ହେବା ସହିତ ପାକିସ୍ତାନ କଳାକାରଙ୍କୁ ବାସନ୍ଦ କରିଛନ୍ତି। ପାକିସ୍ତାନୀ କଳାକାରଙ୍କ ସହିତ ଏବେ ଆଉ କାମ କରାଯିବ ନାହିଁ। ସେମାନଙ୍କୁ ଭାରତରେ ଫିଲ୍ମ ସହିତ ଜଡ଼ିତ କୌଣସି କାମରେ ସାମିଲ କରାଯିବ ନାହିଁ ବୋଲି ଆଇଏଫଟିଡିଏ ପକ୍ଷରୁ ପ୍ରତିକ୍ରିୟା ଜାରି ହେବା ସହିତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଲୱାମା ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେଠାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଯେଉଁ ନିଆଁ ଦେଶବାସୀଙ୍କ ମନରେ ଲାଗିଛି, ସେହି ନିଆଁ ମୋ ଭିତରେ ବି ରହିଛି।’

ଅନ୍ୟପକ୍ଷରେ, ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାରାଦେଶବାସୀ କେବଳ ସ୍ତବ୍ଧ ‌େହାଇନାହାନ୍ତି, ଏହାର ପ୍ରତିବାଦରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ଅବ୍ୟାହତ ‌ରହିଛି। ଶୋଭାଯାତ୍ରାରେ ସାମିଲ୍‌ ହୋଇଥିବା ଲୋକମାନେ ଘଟଣାର ତୀବ୍ର ନିନ୍ଦା, ସହିଦଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଚଳି ସହିତ ଆତଙ୍କବାଦୀ ଓ ପାକିସ୍ତାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ପୁଲୱାମାା ଉଗ୍ରପନ୍ଥୀ ଆକ୍ରମଣ ଘଟଣା ପଛରେ ଜୈଶ-ଇ-ମହମ୍ମଦ କମାଣ୍ଡର ଅବଦୁଲ ରସିଦ୍‌ ଘାଜୀ ମାଷ୍ଟରମାଇଣ୍ଡ୍‌ ବୋଲି କୁହାଯାଉଛି। ଘାଜୀ ଏବେ ବି ପାକିସ୍ତାନ ଉପତ୍ୟକାରେ ରହିଥିବା ସୁରକ୍ଷା ସଂସ୍ଥା ପକ୍ଷରୁ ସନ୍ଦେହ କରାଯାଉଛି। ତେବେ, ଏହି ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ୭୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟ ଏକ ଘଟଣାରେ ସହିଦଙ୍କ ନକଲି ଦେହାବଶେଷକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ନ କରିବା ପାଇଁ ସିଆର୍‌ପିଏଫ୍‌ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସମ୍ବନ୍ଧିତ ଖବର