ସରକାରୀ ସ୍କୁଲର ଶିକ୍ଷକ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ପରେ ଗର୍ଭପାତ କରାଇବାକୁ ଉଦ୍ୟମ କରି ହେଲେ ଗିରଫ

ବାରାମୁଲ୍ଲା (ଜମ୍ମୁ- କଶ୍ମିର): ଜମ୍ମୁ- କଶ୍ମିର ବାରାମୁଲ୍ଲା ଜିଲ୍ଲାରେ ଥିବା ଏକ ସରକାରୀ ବିଦ୍ୟାଳୟର ଜନୈକ ଶିକ୍ଷକ ସଂପୃକ୍ତ ବିଦ୍ୟାଳୟରେ ପଢ଼ୁଥିବା ଜନୈକା ୧୫ ବର୍ଷ ବୟସ୍କା ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ଓ ପରେ ନାବାଳିକା ଗର୍ଭବତୀ ଛାତ୍ରୀର ଗର୍ଭପାତ କରାଇବାକୁ ନେଇଥିବା ବେଳେ ପୁଲିସ ହାତରେ ଗିରଫ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଶିକ୍ଷକ ସିରାଜ ଜରଗରକୁ ପୁଲିସ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି।

ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ବାରାମୁଲ୍ଲା ଏସ୍‌ପି କହିଛନ୍ତି ଯେ ବାରାମୁଲ୍ଲା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ଅଭିଯୁକ୍ତ ସିରାଜ ସେହି ବିଦ୍ୟାଳୟରେ ପଢ଼ୁଥିବା ଜନୈକ ୧୫ ବର୍ଷ ବୟସ୍କା ନାବାଳିକାକୁ ଭୟଭୀତ କରାଇ ତା’ସହ ଏକାଧିକ ବାର ଦୁଷ୍କର୍ମ କରିଥିଲେ। ତେବେ, ପରବର୍ତ୍ତୀ ସମୟରେ ସଂପୃକ୍ତା ନାବାଳିକା ଛାତ୍ରୀ ଜଣକ ଗର୍ଭବତୀ ହୋଇପଡ଼ିଥିବା ଜାଣିବା ପରେ ସେ ଛାତ୍ରୀଟିକୁ ପଟନସ୍ଥିତ ଏକ ଘରୋଇ କ୍ଲିନିକ୍‌କୁ ନେଇଯିବା ସହ ସେଠାରେ ନାବାଳିକା ଗର୍ଭବତୀ ଛାତ୍ରୀଟିର ଗର୍ଭପାତ କରାଇଦେବାକୁ ଡାକ୍ତରଙ୍କୁ କହିଥିଲେ। ତେବେ, କ୍ଲିନିକ୍‌ରେ ସିରାଜଙ୍କ ହାବଭାବ ଉପରେ ଡାକ୍ତରଙ୍କର ସନ୍ଦେହ ହେବାରୁ ସେ ପୁଲିସ୍‌କୁ ଘଟଣା ସଂପର୍କରେ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସିରାଜଙ୍କୁ ଅଟକ ରଖି ଯେତେବେଳେ ଜେରା କଲା, ସେତେବେଳେ ସିରାଜ ପୁଲିସ୍‌ ଆଗରେ ଘଟଣା ବାବଦରେ ସବୁ ସତ କଥା ମାନି ଯାଇଥିଲେ। ଏବେ, ବାରାମୁଲ୍ଲା ପୁଲିସ ନାବାଳିକା ଦୁଷ୍କର୍ମ ଅପରାଧରେ ସିରାଜକୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର