ପୁଣି ଜମ୍ମୁ-କଶ୍ମୀରରେ ଚାଲୁ ହେଲା ବନ୍ଦ ଥିବା ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା

ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରରେ ବନ୍ଦ ଥିବା ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବାକୁ ପୁଣି ଆରମ୍ଭ କରି ଦିଆଯାଇଥିବାର ସୂଚନା ମିଳିଛି। ଏ ସଂପର୍କରେ ପ୍ରଶାସନିକ ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, କଶ୍ମୀରରେ ରବିବାର ସନ୍ଧ୍ୟା ୪ଟାରେ ମୋବାଇଲ୍ ଟେଲିଫୋନ୍ ସେବା ପୁଣି ଥରେ ଆରମ୍ଭ କରି ଦିଆଯାଇଥିଲା । ଅପରପକ୍ଷରେ ୨-ଜି ମୋବାଇଲ ଇଣ୍ଟରନେଟ ସେବାକୁ ରାତି ପାଖାପାଖି ରାତି ୯ଟାରେ ପୁଣି ଥରେ ଆରମ୍ଭ କରାଯାଇଥିଲା ।
ସୂଚନାଯୋଗ୍ୟ, ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ରବିବାର ଜମ୍ମୁ-କଶ୍ମୀରରୁ ଫୋନ୍‌ ଓ ଏସ୍‌ଏମ୍‌ଏସ୍‌ ସେବାକୁ ବନ୍ଦ କରି ଦିଆଯାଇଥିଲା। ସଂପୃକ୍ତ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ଲାଗୁ ହେବାର ମାତ୍ର ଦିନକ ପରେ ପୁଣି ଥରେ ସେବାକୁ ବନ୍ଦ କରି ଦିଆଯାଇଥିଲା।
ଆଣ୍ଟି-ଭାରତ ବାର୍ତ୍ତାକୁ ସୋସିଆଲ୍‌ ମିଡିଆରେ ପ୍ରଘଟ କରିବାରୁ ରୋକିବା ସକା‌ଶେ ଏହି ନିଷ୍ପତ୍ତି ନିଆଯାଇ ଥାଇଥିଲା ବୋଲି କୁହାଯାଉଛି।

image source-indiatoday.in

ପୂର୍ବରୁ ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସମାନଙ୍କରେ ବିଚ୍ଛନ୍ନତାବାଦୀ ନେତାମାନେ ଜମ୍ମୁ-କଶ୍ମୀରରେ ବିରୋଧ ପ୍ରଦର୍ଶନ କରୁଥିବାର ଉଦାହରଣ ରହିଛି। ଏପରି ସମସ୍ୟାକୁ ଦୂରେଇବା ସକାଶେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇ ଥାଇପାରେ ବୋଲି ଅନୁମାନ କରାଯାଉଥିଲା।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘଟିବା ପରେ ସେଠାରେ ମୋବାଇଲ୍ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରି ଦିଆଯାଇଥିଲା। ପୂର୍ବରୁ କିଛି ମାସ ତଳେ ମୋବାଇଲ୍‌ ସେବା ପୁଣି ଥରେ କାର୍ଯ୍ୟକାରୀ କରାଯାଇଥିଲେ ବି ଇଣ୍ଟର୍‌ନେଟ୍‌ ସେବା କିନ୍ତୁ ସେବେଠାରୁ ବନ୍ଦ ଥିଲା।

ସମ୍ବନ୍ଧିତ ଖବର