ଜେଏନ୍‌ୟୁ ହିଂସା : ବ୍ୟାପିଲା ଛାତ୍ର ଆନ୍ଦୋଳନ

ଭିସିଙ୍କ ଇସ୍ତଫା ଦାବି ଜୋର ଧରିଲା , ଦିଲ୍ଲୀ ପୁଲିସକୁ ଆମ୍‌ନେଷ୍ଟିର କଡ଼ା ସମାଲୋଚନା

ନୂଆଦିଲ୍ଲୀ: ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ ପରିସରରେ ଗତକାଲି ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଉପରକୁ ଯେଭଳି ଅମାନୁଷିକ ଆକ୍ରମଣ ହୋଇଛି ତାକୁ ଦେଶବ୍ୟାପୀ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା‌ କରାଯାଇଛି। ହିଂସା‌କୁ ବିରୋଧ କରି ଆଜି ଦେଶବ୍ୟାପୀ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ କଲେଜର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ଗତକାଲି ମଧ୍ୟରାତ୍ରିରୁ ମୁମ୍ବାଇର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଇଣ୍ଡିଆ ଗେଟ୍‌ୱେ ନିକଟରେ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ସେହିପରି ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ , ‌କୋଲକାତାରେ ଯାଦବପୁର ବିଶ୍ବବିଦ୍ୟାଳୟ, ପୁନେରେ ଷ୍ଟୁଡେଣ୍ଟ୍‌ସ ଅଫ୍‌ ଫିଲ୍ମ ଏବଂ ଟିଭି ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀ ମଧ୍ୟ ଜେଏନ୍‌ୟୁ ହିଂସାକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ବେଙ୍ଗାଲୁରୁରେ ମଧ୍ୟ ଆନ୍ଦୋଳନ ହୋଇଛି। ଦିଲ୍ଲୀର ଅନ୍ୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ହିଂସାକୁ ବିରୋଧ କରି ଜେଏନ୍‌ୟୁ ଛାତ୍ରଙ୍କୁ ସମର୍ଥନ କରିଛନ୍ତି। ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ଆଜି ଜେଏନ୍‌ୟୁ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଥିବାବେଳେ ସେମାନଙ୍କ ସହ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଛାତ୍ର ମଧ୍ୟ ଯୋଗ ଦେଇଛନ୍ତି। ଜେଏନ୍‌ୟୁ ଭିସିଙ୍କ ଇସ୍ତଫା ଦାବି ଆଜି ଜୋରଦାର ହୋଇଛି। ଉଭୟ ଜେଏନ୍‌ୟୁ ଛାତ୍ର ସଂଗଠନ ଏବଂ ଶିକ୍ଷକ ସଂଗଠନ ପକ୍ଷରୁ ଭିସିଙ୍କ ଇସ୍ତଫା ଦାବି କରି ଆଜି ଜେଏନ୍‌ୟୁ ବାହାରେ ଆନ୍ଦୋଳନ କରାଯାଇଥିଲା।

ଅନ୍ୟପକ୍ଷେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଦିଲ୍ଲୀ ପୁଲିସ ବାରମ୍ବାର ବିଫଳ ହୋଇଥିବାରୁ ମାନବ ଅଧିକାର ସଂଗଠନ ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରାଯାଇଛି। ଜେଏନ୍‌ୟୁ ହେଉ କି ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ହେଉ ଦିଲ୍ଲୀ ପୁଲିସ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବାରମ୍ବାର ବିଫଳ ହୋଇଛି ବୋଲି ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ସୂଚନା ମିଳୁମିଳୁ ସଙ୍ଗେସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଘଉଡ଼ାଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇ ସ୍ଥିତି ନିୟନ୍ତ୍ରଣ କରାଯାଇଥିଲା ବୋଲି ଦିଲ୍ଲୀ ପୁଲିସ ମୁଖପାତ୍ର ଏମଏସ୍‌ ରନ୍ଧୱା କହିଛନ୍ତି। ସନ୍ଧ୍ୟା ପ୍ରାୟ ୭.୪୫ରେ ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାରେ ହସ୍ତକ୍ଷେପ କରିଥିଲା ‌ବୋଲି ଦିଲ୍ଲୀ ପୁଲିସ କହିଛି। କେବଳ ଦେଶ ଭିତରେ ଆଜିର ଛାତ୍ର ଆନ୍ଦୋଳନ ସୀମିତ ହୋଇ ରହିନାହିଁ। ଆମେରିକା, ଇଂଲଣ୍ଡ ଏବଂ ନେପାଳ ଆଦି ଦେଶରେ ମଧ୍ୟ ଛାତ୍ରମାନେ ପ୍ରତିବାଦ କରିଛନ୍ତି। ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, ସସେକ୍ସ ବିଶ୍ବବିଦ୍ୟାଳୟ, ନ୍ୟୁୟର୍କର କଲମ୍ବିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିଂସା ବିରୋଧରେ ନିରବ ଶୋଭାଯାତ୍ରା କରିଛନ୍ତି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବିକରି ଆନ୍ଦୋଳନକାରୀମାନେ ହାତରେ ପ୍ଲାକାର୍ଡ ଧରିଥିଲେ। ନେପାଳରେ ଜେଏନୟୁର ପୁରାତନ ଛାତ୍ରଛାତ୍ରୀମାନେ ମୈତିଘର ନିକଟରେ ଏକତ୍ରିତ ହୋଇ ହିଂସାକୁ ବିରୋଧ କରିଥିଲେ।

କୋଲକାତାରେ ପୁଲିସର ଲାଠିମାଡ଼
ଜେଏନ୍‌ୟୁ ହିଂସା ଘଟଣାକୁ ବିରୋଧ କରି ଆଜି କୋଲକାତାର ଯାଦବପୁର ଅଞ୍ଚଳରେ ରୢାଲି ହୋଇଥିବାବେଳେ ଏହି ସମୟରେ ବିଜେପି କର୍ମୀ ଏବଂ ବାମ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଯାଦବପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବାମ ଦଳର ସଦସ୍ୟ ଆଜି ଜେଏନ୍‌ୟୁ ହିଂସା ବିରୋଧରେ ଆନ୍ଦୋଳନ କରିଥିବାବେଳେ ବିଜେପି କର୍ମୀମାନେ ମଧ୍ୟ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିଥିଲେ। ତେବେ ସୁଲେଖା ମୋଡ଼ ନିକଟରେ ଉଭୟ ବିଜେପି ଏବଂ ବାମଦଳ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନ ହିଂସା‌ତ୍ମକ ମୋଡ଼ ନେବାରୁ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲାଠି ମାଡ଼ କରିଥିଲା।

ବଲିଉଡ୍‌ ଜଗତର ନିନ୍ଦା
ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବଲିଉଡ୍‌ ଜଗତ ନିନ୍ଦା କରିଛି। ଚଳଚ୍ଚିତ୍ର ନିର୍ମାତା ଅନିଲ କପୁର, ଅଭିନେତ୍ରୀ ଆଲିଆ ଭଟ୍ଟ, ତାପସୀ ପନ୍ନୁ, ଶାବନା ଆଜ୍‌ମି, ଋତେଶ ଦେଶମୁଖ, ଅନୁରାଗ ବସୁ, ଅପର୍ଣ୍ଣା ସେନ୍‌, ବିଶାଳ ଭରଦ୍ବାଜ, ରାଜକୁମାର ରାଓ, ଟ୍ବିଙ୍କିଲ୍‌ ଖାନ୍ନା,ଅନୁରାଗ କଶ୍ୟପ, ସୋନମ କପୁର ଆହୁଜା, ରେଣୁକା ସାହାଣେ, ରିଚା ଚଢ଼ା ପ୍ରମୁଖ ଜେଏନ୍‌ୟୁ ହିଂସାକୁ ଅଗଣତାନ୍ତ୍ରିକ କହିବା ସହ ଜେଏନ୍‌ୟୁରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଜେଏନ୍‌ୟୁ ଛାତ୍ରଙ୍କ ଉପରେ କରାଯାଇଥିବା ଆକ୍ରମଣ ଘଟଣା ନିନ୍ଦନୀୟ ବୋଲି ଚଳଚ୍ଚିତ୍ର ନିର୍ମାତା ଅନିଲ କପୁର କହିଛନ୍ତି। ଏହା ଭୀରୁତା ବୋଲି ଅଭିନେତ୍ରୀ ସୋନମ କପୁର କହିଛନ୍ତି। ଅଭିନେତା ଅନୁରାଗ କଶ୍ୟପ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଜେଏନ୍‌ୟୁରେ ବର୍ତ୍ତମାନ ହିନ୍ଦୁତ୍ବ ଆତଙ୍କବାଦ ସ୍ପଷ୍ଟ ବାରି ହୋଇ ପଡୁଛି। ସେହିଭଳି ଅଭିନେତା ରାଜ କୁମାର କହିଛନ୍ତି, ଏହା ‘ହୃଦୟ ବିଦାରକ’। କଣ୍ଠଶିଳ୍ପୀ ରେଖା ଭରଦ୍ବାଜ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ‘୨୬/୧୧ ଆତଙ୍କବାଦୀ ଆକ୍ରମଣ’ ଉକ୍ତିକୁ ସମର୍ଥନ ଜଣାଇଛନ୍ତି। ଏହା ଏକ ନିର୍ବାଚିତ ସରକାର ପ୍ରତି ଆହ୍ବାନ ବୋଲି ଚଳଚ୍ଚିତ୍ର ନିର୍ମାତା ଅଳଙ୍କୃତ ଶ୍ରୀବାସ୍ତବ କହିଛନ୍ତି। ଚଳଚ୍ଚିତ୍ର ନିର୍ମାତା ହଂସଲାଲ ମେହେଟା ବଲିଉଡ୍‌ ଅଭିନେତା, ଅଭିନେତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଜେଏନ୍‌ୟୁରେ ଯେଉଁମାନେ ଚିତ୍କାର କରୁଛନ୍ତି, ସେମାନେ ହିଁ ବଡ଼ ଦର୍ଶକ। ଅଭିନେତ୍ରୀ ରିଚା ଚଢ଼ା ଓ ରେଣୁକା ସାହାଣେ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଜେଏନ୍‌ୟୁ ଘଟଣା ଦେଶବାସୀଙ୍କୁ ଆଘାତ ଦେଇଛି ବୋଲି ଅଭିନେତ୍ରୀ ଶାବନା ଆଜ୍‌ମି ଟ୍ବିଟ୍‌ କରିଛନ୍ତି।

ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେ ପକାଇ ଦେଇଛି। ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ହେଉ।
ଉଦ୍ଧବ ଠାକ୍‌ରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ଟିଭିରୁ ଲାଇଭ୍‌ ଦେଖିଲା ପରେ ଖୁବ୍‌ ଦୁଃଖ ଲାଗୁଛି। ଦୁର୍ବୃତ୍ତମାନେ ମୁଖା ପିନ୍ଧି ହଷ୍ଟେଲ ମଧ୍ୟକୁ ପଶି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କଲେ। ପୁଲିସ କ’ଣ କରୁଥିଲା? ପୁଲିସ କମିସନର କୁଆଡ଼େ ଯାଇଥିଲେ?
ପି. ଚିଦମ୍ବରମ୍‌, କଂଗ୍ରେସ ନେତା
ଜେଏନ୍‌ୟୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଗଣତନ୍ତ୍ର ପ୍ରତି ଲଜ୍ଜା। ଏଭଳି ଜଘନ୍ୟ ଘଟଣାକୁ ଦେଶବ୍ୟାପୀ ନିନ୍ଦା ହେବା ଉଚିତ୍‌। ଏହା ‘ଫାସିବାଦୀଙ୍କ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’।
ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଜେଏନ୍‌ୟୁ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମୁଁ ସ୍ତବ୍‌ଧ। ପୁଲିସ ପ୍ରଥମେ କ୍ୟାମ୍ପସରରେ ହିଂସା ରୋକିବା ଦିଗରେ ପଦକ୍ଷେପ ନେଉ। ଯଦି ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀ ଅସୁରକ୍ଷିତ ହେବେ, ତେବେ ଦେଶର ବିକାଶ କିଭଳି ସମ୍ଭବ ହୋଇପାରିବ?
ଅରବିନ୍ଦ କେ‌ଜ୍ରିୱାଲ୍‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଜେଏନ୍‌ୟୁ ହିଂସାକୁ ନେଇ ଅନେକ ପ୍ରଶ୍ନ ଉଠିଛି। କିଭଳି ମୁଖାପିନ୍ଧା ଗୁଣ୍ଡାମାନେ କ୍ୟାମ୍ପସକୁ ପ୍ରବେଶ କଲେ? ବିଶ୍ବବିଦ୍ୟାଳୟର କୁଳପତି କ’ଣ କରୁଥିଲେ? ପୁଲିସ କ୍ୟାମ୍ପସ୍‌ ବାହାରେ କ’ଣ କରୁଥିଲା? ଗୃହମନ୍ତ୍ରୀ କ’ଣ କରୁଥିଲେ? ଏହି ଘଟଣା ପଛରେ ଏକ ବିରାଟ ଷଡ଼୍‌ଯନ୍ତ୍ର ରହିଛି।
କପିଲ୍‌ ଶିବଲ, କଂଗ୍ରେସ ନେତା
ଜେଏନ୍‌ୟୁ‌ରେ ଏଭଳି ହିଂସା ଆଚରଣ ନିନ୍ଦନୀୟ। ତେବେ କଂଗ୍ରେସ, ଆପ୍‌ ଏବଂ ବାମଦଳର କିଛି ନେତା ଜେଏନ୍‌ୟୁରେ ଅଶାନ୍ତି ବଢ଼ାଉଛନ୍ତି।
ପ୍ରକାଶ ଜାଭଡେକର, କେନ୍ଦ୍ରମନ୍ତ୍ରୀ
ଜେଏନ୍‌ୟୁ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ନିନ୍ଦନୀୟ। ବର୍ତ୍ତମାନ ଦେଶ ଫାସିବା‌ଦୀଙ୍କ ନିୟନ୍ତ୍ରଣରେ ରହିଛି। ସାହସୀ ଛାତ୍ରଙ୍କ ସ୍ବରକୁ ଦବାଇ ଦେବାକୁ ଉଦ୍ୟମ କରୁଛି।
ରାହୁଲ ଗାନ୍ଧି କଂଗ୍ରେସ ନେତା

ସମ୍ବନ୍ଧିତ ଖବର