ରାମ ରହିମଙ୍କ ରେକର୍ଡ ଭାଙ୍ଗିବେ ଯୋଗୀ ଆଦିତ୍ୟନାଥ: ଅଯୋଧ୍ୟାରେ ଜାଳିବେ ୧,୫୪,୦୦୦ ଦୀପ

ନୂଆଦିଲ୍ଲୀ: ବର୍ତ୍ତମାନ ଦୀପାବଳି ପାଳନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ରାମଜନ୍ମଭୂମି ଅଯୋଧ୍ୟାରେ ପାଳନ କରୁଛନ୍ତି ଐତିହାସିକ ଦୀପାବଳି। ଯୋଗୀଙ୍କର ଏହି ମହାଆୟୋଜନ ପଛରେ ରହିଛି ବିଶ୍ୱ ରେକର୍ଡ ନିର୍ମାଣ। ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଦୀପାବଳି ଅବସରରେ ୨ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଗିନିଜ ବୁକ୍‌ରେ ପ୍ରବେଶ କରିବ ଅଯୋଧ୍ୟା।

ଉଲ୍ଲେଖଯୋଗ୍ୟ କଥା ହେଲା, କାର୍ଯ୍ୟକ୍ରମରେ ଯେଉଁ ବ୍ୟକ୍ତି ସୃଷ୍ଟି କରିଥିବା ରେକର୍ଡକୁ ଭାଙ୍ଗିବା ଲାଗି ଯୋଗୀ ଆଦିତ୍ୟନାଥ ଅଣ୍ଟା ଭିଡିଛନ୍ତି, ସେ ହେଉଛନ୍ତି ଦୁଷ୍କର୍ମ ଅଭିଯୁକ୍ତ ଧର୍ମଗୁରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମ। ଗତବର୍ଷ ଡେରା ସଚ୍ଚା ସୌଦା ପକ୍ଷରୁ ସେପ୍‌ଟେମ୍ବର ୨୩ ତାରିଖରେ ୧,୫୦,୦୦୯ଟି ଦୀପ ଜଳାଯାଇ ନୂଆ ରେକର୍ଡ ସୃଷ୍ଟି କରାଯାଇଥିଲା।

ଯୋଗୀ ଆଦିତ୍ୟନାଥ ଓ ତାଙ୍କ ପ୍ରଶାସନ ଗୁରୁମିତଙ୍କ ଏହି ରେକର୍ଡ ଭାଙ୍ଗି ଗିନିଜ ବୁକ୍‌ରେ ସ୍ଥାନିତ ହେବା ଲାଗି ୨୦୦୦ ସ୍କୁଲ ଓ କଲେଜ ଛାତ୍ରଙ୍କ ଦ୍ୱାରା ୨ଲକ୍ଷ ଦୀପ ଜଳାଯିବା ଲାଗି ବ୍ୟବସ୍ଥା ହୋଇଛି। ମିଳିଥିବା ରିପୋର୍ଟ ମୁତାବକ ୨ଲକ୍ଷ ଦୀପକୁ ସରଜୁ ନଦୀ କୂଳରେ ପୂର୍ବରୁ ସଜାଇ ରଖାଯାଇଛି। ପ୍ରତି ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ମୁଖ୍ୟମନ୍ତ୍ରୀ ପ୍ରଥମ ଦୀପକୁ ପ୍ରଜ୍ଜ୍ୱଳିତ କରିବା ପରେ ସେମାନେ ୪୦ଟି ଲେଖାଏଁ ଦୀପକୁ  ଜଳାଇବେ।

ଏହି କାର୍ଯ୍ୟକ୍ରମର ନାମ ଅଯୋଧ୍ୟା ଦିବ୍ୟ ଦୀପ ଉତ୍ସବ ରଖାଯାଇଛି। ଏଥିରେ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରୁଛନ୍ତି। ସରଜୁ ନଦୀରେ ସରଜୁ ଘାଟ, ରାମ କି ପୌରି ଘାଟ ଏବଂ ରାମକଥା ପାର୍କରେ ଦୀପ ଉତ୍ସବ ପାଳନ ହେଉଛି।

ତେବେ ଗିନିଜ ବୁକ କର୍ତ୍ତୃପକ୍ଷ ଏହି ରେକର୍ଡ ସୃଷ୍ଟିକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି। ଗିନିଜ ବୁକ୍‌ ପକ୍ଷରୁ ଏନେଇ କେତେକ ସର୍ତ୍ତ ରଖାଯାଇଛି। ନିମ୍ନରେ ସେଇ ସର୍ତ୍ତ ଗୁଡ଼ିକ ଉଲ୍ଲେଖ କରାଯାଇଛି।

  • ୧. ପ୍ରତିଟି ଦୀପ ଅନ୍ତତଃପକ୍ଷେ ୫ମିନିଟ ଜଳିବା ଦରକାର
    ୨. ଗିନିଜ ବୁକ୍‌ ପକ୍ଷରୁ ଟିକିଏ କୋହଳ ବି ଦିଆଯାଇଛି,୧୦ ପ୍ରତିଶତ ଦୀପ ୫ମିନିଟ ନ ଜଳିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିବେ।
    ୩. ତେଣୁ ୧୫୪,୦୦୦ ଦୀପ ୫ ମିନିଟ ପର୍ଯ୍ୟନ୍ତ ଜଳିବା ଦରକାର

 

ସମ୍ବନ୍ଧିତ ଖବର