ସାମ୍ବାଦିକତା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନ: ବିଜେପି କେମିତି ଜିତିବ ନିର୍ବାଚନ

ରାୟପୁର: ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ଲୋକସଭା ନିର୍ବାଚନରେ କେଉଁ ଉପାୟ ଅବଲମ୍ବନ କଲେ ବିଜୟ ହାସଲ କରିବ, ସେ ନେଇ ସାମ୍ବାଦିକତା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚରାଯାଇଛି। ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ କୁଶାଭାଉ ଠାକରେଙ୍କ ନାଁରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ସ୍ଥାପିତ କୁଶାଭାଉ ଠାକରେ ସାମ୍ବାଦିକତା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଥିବା ଖବର ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସୂତ୍ର ଅନୁସାରେ କୁଶାଭାଉ ଠାକରେ ବିଶ୍ୱବିଦ୍ୟାଳୟରେ ନିକଟରେ ଶେଷ ହୋଇଥିବା ପ୍ରୟୋଗଶାଳା ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଥିଲା ଯେ, ନିର୍ବାଚନରେ ଭାରତୀୟ ଜନତା ପାର୍ଟି କିଭଳି ଭାବରେ ନିର୍ବାଚନୀ ପ୍ରସଙ୍ଗ ଉଠାଇ ପାରିବ।

କର୍ତ୍ତୃପକ୍ଷଙ୍କ ଦ୍ୱାରା ପରୀକ୍ଷାରେ ଫେଲ କରି ଦିଆଯିବ, ସେଥିପାଇଁ ଛାତ୍ରଛାତ୍ରୀମାନେ ଭୟରେ ଖୋଲାଖୋଲି ମୁହଁ ଖୋଲୁ ନାହାନ୍ତି। ମାତ୍ର ନିଜ ନାଁକୁ ଗୋପନ ରଖି କିଛି ଛାତ୍ର ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ବିଜେପି କିପରି ଜିତି ପାରିବ ସେ ନେଇ ପ୍ରଶ୍ନ ପଚରାଯାଇଥିଲା। ଚର୍ଚ୍ଚା ହେଉଛି ଯେ, ପିଲାମାନଙ୍କୁ ଜାଣିଶୁଣି ଏଭଳି ପ୍ରଶ୍ନ କରାଯାଇଛି।

ଏ ସଂପର୍କରେ ବିଜ୍ଞାପନ ଏବଂ ଲୋକସଂପର୍କ ଭିବାଗୀୟ ମୁଖ୍ୟ ଆଶୁତୋଷ ମଣ୍ଡାବୀ କହିଛନ୍ତି, ପ୍ରୟୋଗଶାଳା ପରୀକ୍ଷାରେ ସ୍ଥାନୀୟ ଶିକ୍ଷକଙ୍କ ଭୂମିକା ନଥାଏ। ବାହାରୁ ଆସୁଥିବା ପରୀକ୍ଷକମାନେ ପ୍ରୟୋଗଶାଳା ପରୀକ୍ଷାରେ ପ୍ରଶ୍ନ ପଚାରିଥାନ୍ତି। ସେ କହିଛନ୍ତି, ଏ ବିଷୟରେ ମୋତେ ସୂଚନା ମିଳି ନାହିଁ।

ସମ୍ବନ୍ଧିତ ଖବର