ବିଜେପି ନେତାଙ୍କ ମରଣାନ୍ତକ ଆକ୍ରମଣରେ ସାମ୍ବାଦିକ ଗୁରୁତର

ରାୟପୁର (ଛତିଶଗଡ଼): ଛତିଶଗଡ଼ ରାୟପୁରରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ସଂପର୍କରେ ଚାଲିଥିବା ଏକ ସମୀକ୍ଷା ବୈଠକର ବିବରଣୀ ରେକର୍ଡିଂ କରୁଥିବା ବେଳେ ବିଜେପି ନେତା ଓ କର୍ମୀମାନେ ଜନୈକ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ନିର୍ଘାତ ମାଡ଼ମାରି ଲହୁଲୁହାଣ କରିବା ଘଟଣା ଦେଶ ବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଂପୃକ୍ତ ସାମ୍ବାଦିକଙ୍କ ନାମ ସୁମନ ପାଣ୍ଡେ ଏବଂ ସେ ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥାର ରାୟପୁର ପ୍ରତିନିଧି ରୂପେ କାର୍ଯ୍ୟ କରୁଥିଲେ। ବିଜେପି ନେତା ଓ କର୍ମୀଙ୍କ ଆକ୍ରମଣରେ ସଂପୃକ୍ତ ସାମ୍ବାଦିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ସେ ଏବେ ଚିକିତ୍ସାଧୀନ ଅଛନ୍ତି।

ଏସଂପର୍କରେ ଆହତ ସାମ୍ବାଦିକ ପାଣ୍ଡେ ପୁଲିସ୍‌ରେ ଲିଖିତ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ବିଜେପିର ରାୟପୁର ଜିଲ୍ଲା ସଭାପତି ରାଜୀବ ଅଗ୍ରଓ୍ଵାଲଙ୍କ ସମେତ ଅନ୍ୟ ତିନି ଦଳୀୟ କର୍ମକର୍ତ୍ତା ବିଜୟ ବ୍ୟାସ, ଉତ୍କର୍ଷ ତ୍ରିବେଦୀ ଓ ଦୀନା ଡୋଙ୍ଗରେଙ୍କ ବିରୋଧରେ ମାମଲା ଆଗତ କରି ତଦନ୍ତ ଚଳାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ ସଂପୃକ୍ତ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ସମର୍ଥ ହୋଇନାହିଁ।

ସାମ୍ବାଦିକ ପାଣ୍ଡେ ପୁଲିସ୍‌ ନିକଟରେ ଆଗତ କରିଥିବା ଲିଖିତ ଅଭିଯୋଗରେ କହିଛନ୍ତି ଯେ ବିଜେପି ନେତାମାନଙ୍କ ଆମନ୍ତ୍ରଣ କ୍ରମେ ସେ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ, ବୈଠକ ମଝିରେ ବିଜେପି ନେତାମାନେ ପରସ୍ପର ମଧ୍ୟରେ ମାଡ଼ଗୋଳ ଲାଗିଥିଲେ। ଯାହାର ଭିଡିଓ ଚିତ୍ର ଉତ୍ତେଳନ କରୁଥିବା ବେଳେ ବିଜେପି ନେତାମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର