ଆଡ୍‌ଭୋକେଟ୍‌ଙ୍କୁ ପ୍ରେମ କରିବାରୁ ନିଜ ଝିଅକୁ ବନ୍ଦିନୀ କଲେ ଜଜ୍‌

ପାଟନା: ଖଗାରିଆର ଡିଷ୍ଟ୍ରିକ୍ଟ୍‌ ସେସନ୍‌ ଜଜ୍‌ ନିଜ ୨୪ ବର୍ଷୀୟ ଝିଅକୁ ବନ୍ଦିନୀ କରି ରଖିଛନ୍ତି ବୋଲି ଜୁନ୍‌ ୨୨ ତାରିଖ ଦିନ ଅନ୍‌ଲାଇନ୍‌ ପୋର୍ଟାଲ୍‌ ‘ବାର୍‌ ଆଣ୍ଡ୍‌ ବେଞ୍ଚ୍‌’ରେ ପ୍ରକାଶିତ ରିପୋର୍ଟ ଉପରେ ଶନିବାର ଦିନ ପାଟନା ହାଇକୋର୍ଟ ଆପଣାଛାଏଁ ମାମଲା ହାତକୁ ନେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ ଏବଂ ଜଷ୍ଟିସ୍‌ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଦିନ ମାମଲା ଉପରେ ଶୁଣାଣି କରିବେ ବୋଲି ତାଲିକାଭୁକ୍ତ କରାଯାଇଛି।

‘ବାର୍‌ ଆଣ୍ଡ୍‌ ବେଞ୍ଚ୍‌’ ରିପୋର୍ଟ ଅନୁସାରେ, ପାଟନାରେ ଥିବା ‘ଚାଣକ୍ୟ ନେସ୍‌ନାଲ୍‌ ଲ’ ୟୁନିଭର୍ସିଟି’ରେ ଯଶସ୍ୱିନୀ ଜଣେ ଲ’ ଗ୍ରାଜୁଏଟ୍‌। ସୁପ୍ରିମ୍‌ କୋର୍ଟରେ ଆଡ୍‌ଭୋକେଟ୍‌ ଥିବା ସିଦ୍ଧାର୍ଥ ବଂଶଲ ନାମକ ଜଣେ ବ୍ୟକ୍ତିଙ୍କୁ ସେ ପ୍ରେମ କରୁଥିବା କାରଣରୁ ତାଙ୍କ ବାପା ସୁଭାସ ଚନ୍ଦ୍ର ଚୌରସିଆ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟ ତାଙ୍କୁ ମାଡ଼ ଦେଇ ଖଗରିଆ ଘରେ ବନ୍ଦିନୀ କରି ରଖିଛନ୍ତି।

୨୦୧୨ରେ ସକେତ୍‌ ଅଦାଲତ ପରିସରରେ ଯଶସ୍ୱିନୀଙ୍କ ଇଣ୍ଟର୍ଣ୍ଣସିପ୍‌ ସମୟରେ ଉଭୟ ପରସ୍ପରକୁ ଭେଟିଥିଲେ। ମେ ୬ ତାରିଖ ଦିନ ଅନୁଷ୍ଠିତ ଦିଲ୍ଲୀ ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷା ଦେବାକୁ ଯଶସ୍ୱିନୀ ମାଆଙ୍କ ସହ ଦିଲ୍ଲୀ ଯାଇଥିଲେ। ମେ ୫ ତାରିଖ ଦିନ ସେ ହୋଟେଲ୍‌ ବାହାରେ ବଂଶଲଙ୍କୁ ଭେଟିଥିଲେ। କୌଣସି ପ୍ରକାର ସେମାନଙ୍କ ସମ୍ବନ୍ଧ ବିଷୟରେ ମାଆ ଜାଣିପାରିବାରୁ ଆଉ ତାଙ୍କୁ ପରୀକ୍ଷା ଦିଆଇ ନ ଦେଇ ଖଗରିଆ ନେଇ ଚାଲି ଆସିଲେ।

ଖଗରିଆ ଫେରିବା ପରେ ସେଠାରେ ଝିଅକୁ ବହେ ମାଡ଼ ଦେଇ ପିତାମାତା ଯଶସ୍ୱିନୀଙ୍କ ସେଲ୍‌ଫୋନ୍‌ରୁ ବଂଶଲଙ୍କୁ ଦୁଇ ଥର କାଲ୍‌ କଲେ। ଯଶସ୍ୱିନୀ ମାଡ଼ ଖାଉ ଥିବା ଏବଂ କାନ୍ଦୁଥିବା ଶବ୍ଦ ଫୋନ୍‌ରେ ଶୁଣିଲେ ବଂଶଲ୍‌। ଗତରେ ମାସରେ ବଂଶଲ ଏବଂ ତାଙ୍କର ଜଣେ ବରିଷ୍ଠ ସହଯୋଗୀ ଖଗରିଆ ଯାଇ ଯଶସ୍ୱିନୀଙ୍କ ବାପାଙ୍କୁ ଭେଟିଥିଲେ। ସେ କହିଲେ କି ଝିଅକୁ ବାହା ହେବା ପାଇଁ ଯୋଗ୍ୟ ହେବାକୁ ଜଣେ ସିଭିଲ୍‌ ସର୍ଭାଣ୍ଟ୍‌ ହୁଅ ବା ଜଜ୍‌ ହୁଅ।

ଝିଅକୁ ଉଦ୍ଧାର କରିବାକୁ ସେମାନେ ଡିଜିପି କେ ଏସ୍‌ ଦ୍ୱିବେଦୀଙ୍କୁ ମଧ୍ୟ ଭେଟିଥିଲେ। ଖଗରିଆ ମହିଳା ଥାନାରେ ମଧ୍ୟ ସେ ଲିଖିତ ଅଭିଯୋଗ କରିଥିଲେ। ଥାନା ଏସ୍‌ଏଚ୍‌ଓ କିରଣ କୁମାରୀ ଜଜ୍‌ଙ୍କ ବାସଭବନକୁ ଯାଇ ଝିଅକୁ ଭେଟିଥିଲେ। ଝିଅ କହିଛି ଯେ ସେ ଖୁସି ଅଛି। ଏବେ ସେ ଏକ ଟୁର୍‌ରୁ ଫେରିଛି। ଆଉ ଗୋଟିଏ ଟୁର୍‌ରେ ଯିବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର