ଚୟନ କମିଟିକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ: ୨୮ ସୁଦ୍ଧା ଲୋକପାଳ ନାମ ତାଲିକା

ମାର୍ଚ୍ଚ ୭ ତାରିଖରେ ଶୁଣାଣି

ନୂଆଦିଲ୍ଲୀ: ଲୋକପାଳ ଚୟନ ନିମନ୍ତେ ସମ୍ଭାବ୍ୟ ନାମ ତାଲିକା ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ଲୋକପାଳ ଚୟନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନବିଚାରପତି ରଂଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଚୟନ କମିଟିକୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ମନୋନୟନ କମିଟିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତାଲିକା ଦେବାକୁ ହେବ। ମାର୍ଚ୍ଚ ୭ ତାରିଖରେ ସୁପ୍ରିମ୍‌ କୋର୍ଟ ଲୋକପାଳ ନିଯୁକ୍ତି ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି କରିବେ। ଏନ୍‌ଜିଓ କମନ୍‌ କଜ୍‌ ପକ୍ଷରୁ ଲୋକପାଳ ନିଯୁକ୍ତି ନେଇ ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବାରୁ ପ୍ରଧାନ ବିଚାରପତି ଆଜି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଚୟନ କମିଟି ଏ କ୍ଷେତ୍ରରେ ସର୍ବାଧକ ସ୍ବଚ୍ଛତା ଅବଲମ୍ବନ କରିବା ଏବଂ ନିଜସ୍ବ ପ୍ରକ୍ରିୟାରେ କାର୍ଯ୍ୟ କରିବା ପାଇଁ କମନ୍‌ କଜ୍‌ର ଓକିଲ ପ୍ରଶାନ୍ତ ଭୂଷଣ କହିବା ପରେ ପ୍ରଧାନ ବିଚାରପତି ଏହାକୁ ବିରୋଧ କରିଥିଲେ ଏବଂ କୋର୍ଟ କମିଟି ଉପରେ କୌଣସି ସନ୍ଦେହ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ। ଦେଶର ବିଶିଷ୍ଟ ବ୍ୟକ୍ତି ଏବଂ ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ବିଚାରପତିଙ୍କୁ ନେଇ ଗଠିତ କମିଟି ଉପରେ ଆମର ପୂର୍ଣ୍ଣ ଆସ୍ଥା ରହିଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ତେବେ କମିଟି କାର୍ଯ୍ୟପଦ୍ଧତି ସଂପର୍କରେ ଭୂଷଣ ତାଙ୍କର ଦାବି ଦୋହରାଇ ଚୟନ ପୂର୍ବରୁ ନାମଗୁଡ଼ିକ ସାର୍ବଜନୀନ କରିବା ପାଇଁ କହିବା ପରେ ପ୍ରଧାନ ବିଚାରପତି ତାଙ୍କୁ କହିଥିଲେ- ‘ଭୂଷଣ ମହାଶୟ, ପ୍ରତି କଥାକୁ ଆପଣ ନକରାତ୍ମକ ଚିନ୍ତାଧାରାରେ ଦେଖିବା ଛାଡ଼ି ଦିଅନ୍ତୁ। ଦେଶରେ ଯାହା ବି ଘଟୁଛି, ସତେ ଯେମିତି ଆପଣ ସବୁ ଜାଣିଛନ୍ତି। ଆମେ ବିଚାରପତିମାନେ କିନ୍ତୁ ଅନେକ କଥା ଜାଣିପାରୁ ନାହୁଁ।’ ଲୋକପାଳ ଚୟନ ପାଇଁ ଚୟନକାରୀ କମିଟି ସେପ୍‌ଟେମ୍ବର ୨୦୧୮ରେ ଗଠନ ହୋଇଥିଲା ଏବଂ କମିଟି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକପାଳ ପଦ ପାଇଁ ସମ୍ଭାବ୍ୟ ନାମ ତାଲିକା ଦେବାକୁ କୁହାଯାଇଥିଲା। ଏହି କମିଟିର ମୁଖ୍ୟ ଭାବେ ଜଷ୍ଟିସ ରଂଜନ ପ୍ରକାଶ ଦେଶାଇ ରହିଥିବା ବେଳେ ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍‌ ଏସ୍‌.ଆର. ସିଂହ ଯାଦବ, ପୂର୍ବ ସଲିସିଟର ଜେନେରାଲ ରଂଜିତ କୁମାର, ପୂର୍ବ ଏସ୍‌ବିଆଇ ଅଧ୍ୟକ୍ଷ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ, ଆଇଏଏସ୍‌ ଅଫିସର ଡ. ଲଳିତ ପନ୍‌ୱାର, ଏସ୍‌ଏସ୍‌ ଖଣ୍ଡାଲୱାଲା, ପ୍ରସାର ଭାରତୀୟ ଅଧ୍ୟକ୍ଷ ଏ. ସୂର୍ଯ୍ୟ ପ୍ରକାଶ, ପୂର୍ବ ଇସ୍ରୋ ଅଧ୍ୟକ୍ଷ ଏ.ଏସ୍‌. କିରଣ କୁମାର। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକପାଳ ନିଯୁକ୍ତି ହୋଇନଥିବାରୁ ସରକାରଙ୍କ ବିରୋଧରେ ଏକ ଅବମାନନା ମାମଲା ଏନ୍‌ଜିଓ କମନ୍‌ କଜ୍‌ ପକ୍ଷରୁ ରୁଜୁ ହୋଇଥିଲା ଏବଂ ଅଦାଲତ ଏହି ମାମଲାକୁ ଗ୍ରହଣ କରି ଲୋକପାଳ ନିଯୁକ୍ତି ଦେବାକୁ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର