ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ଫାଶୀ

୧୯୯୫ ସାରିନ ଗ୍ୟାସ ଆକ୍ରମଣ ଘଟଣା

ଟୋକିଓ,: ଜାପାନର ବହୁଚର୍ଚ୍ଚିିତ ସାରିନ ଗ୍ୟାସ ଆକ୍ରମଣ ଘଟଣାରେ ଆଜି ମାଷ୍ଟରମାଇଣ୍ଡ ସୋକୋ ଆସାରା(୬୩)ଙ୍କ ସମେତ ୬ ଜଣଙ୍କୁ ଜାପାନ ସରକାର ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି। ଫାଶୀ ପାଇଥିବା ଅନ୍ୟ ୫ ଜଣଙ୍କ ମଧ୍ୟରେ ସାରିନ ଗ୍ୟାସ ତିଆରି କରିଥିବା ୨ ଜଣ ବୈଜ୍ଞାନିକ ଓ ସାରିନ ଗ୍ୟାସ ନେଇ ଯାଇଥିବା ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ୬ ଜଣ ଏବେ ସୁଦ୍ଧା ଫାଶୀ ପାଇନାହାନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୫ ମାର୍ଚ୍ଚ ୨୦ରେ ଆସାରାଙ୍କ ସଂଗଠନର କିଛି ଲୋକ ସବେଓ୍ଵ ତଳେ ଯାଉଥିବା କାରଗୁଡ଼ିକୁ ଟାର୍ଗେଟ କରି ସାରିନ ନର୍ଭ ଗ୍ୟାସ ପ୍ରୟୋଗ କରିଥିଲେ। ଏହି ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୬ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ରୋଗାକ୍ରାନ୍ତ ହୋଇପଡ଼ିଥିଲେ। ତେବେ ଏହି ଘଟଣା ସମେତ ମାଷ୍ଟରମାଇଣ୍ଡ ଆସାରା ନାମରେ ଅନେକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ୧୯୮୪ରେ ଆସାରା ସୁପ୍ରିମ ଟ୍ରୁଥ୍‌ ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲା। ଏହି ସଂଗଠନରେ ସାମିଲ ହୋଇଥିବା କିଛି ଯୁବ ରସାୟନ ବିଜ୍ଞାନୀ, ପ୍ରାଣୀ ବିଜ୍ଞାନୀଙ୍କ ଦ୍ୱାରା ଆସାରା ରାସାୟନିକ ଅସ୍ତ୍ର ତିଆରି କରି ଲୋକଙ୍କୁ ହତ୍ୟା ପାଇଁ ବ୍ୟବହାର କରୁଥିଲା।

ସମ୍ବନ୍ଧିତ ଖବର