ଜୁନ୍ ୩୦ ଯାଏଁ ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍ ପ୍ରମାଣପତ୍ରର ନବୀକରଣ କରିବାକୁ ପଡ଼ିବ ନାହିଁ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି, ଏସଟିଏ ପକ୍ଷରୁ ବି ସୂଚନା

ଭୁବନେଶ୍ବର: ଗାଡି ଚାଳକଙ୍କୁ ଆଶ୍ୱସ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଫେବ୍ରୁଆରିରେ ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ ୩୦ ତାରିଖ ଯାଏଁ ବୈଧ ବିବେଚନା କରାଯିବ । ତେବେ ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯଦି ଆପଣଙ୍କର ଗାଡ଼ିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡ଼ିବ ନାହିଁ । କାରଣ ଏହା ବର୍ତ୍ତମାନ ଆପଣାଛାଏଁ ଜୁନ୍ ୩୦ ତାରିଖ ଯାଏଁ ନବୀକରଣ ହୋଇଯିବ । ଏପରିକି ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡ଼ି ଯାଞ୍ଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କର ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ, ତେବେ ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୁଲିସ୍ । ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଏହାକୁ ରାଜ୍ୟର ପରିବହନ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପରିବହନ ଅଥରିଟି (ଏସଟିଏ) ପକ୍ଷରୁ ବି ଟୁଇଟ୍ କରାଯାଇ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର