ଏଣିକି କଲେଜ ଓ ୟୁନିଭିର୍ସିଟି କ୍ୟାମ୍ପସ୍‌ରେ ମିଳିବନି ଜଙ୍କଫୁଡ: ବିକ୍ରି ନିଷେଧ ଲାଗି ୟୁଜିସି ଜାରିକଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ୟୁନିଭିର୍ସିଟି ଗ୍ରାଣ୍ଟ କମିସନ୍‌(ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଏକ ନିର୍ଦ୍ଦେଶାନାମା ଜାରି କରି କ୍ୟାମ୍ପସ ମଧ୍ୟରେ ଜଙ୍କଫୁଡ଼ ବିକ୍ରି ନିଷେଧ କରିବାକୁ କହିଛି। ୟୁଜିସି ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ଦର୍ଶାଯାଇଛି କି, ଜଙ୍କଫୁଡ଼ ସେବନ ଦ୍ୱାରା ମେଦବହୁଳଦା ବ୍ୟାପୁଛି, ଯାହା ଛାତ୍ରମାନଙ୍କ ଶିକ୍ଷାଗ୍ରହଣ ଉପରେ କୁପ୍ରଭାବ ପକାଉଛି। ଜଙ୍କ ଫୁଡ଼ ବିକ୍ରି ବନ୍ଦ ହେବା ଦ୍ୱାରା ଛାତ୍ରଛାତ୍ରୀ ସୁସ୍ଥ ଜୀବନଯାପନ କରିପାରିବେ। ଏଣୁ କ୍ୟାମ୍ପସରେ ଏହାର ବିକ୍ରି ନିଷେଧ ହେବା ଦରକାର। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏହି ମର୍ମରେ ଏକ ନିର୍ଦ୍ଦେଶାନାମା ଜାରି ପରେ ୟୁଜିସି ଏହି ପଦକ୍ଷେପ ନେଇଛି।

ଉଲ୍ଲେଖଯୋଗ୍ୟ କି କିଛିଦିନ ପୂର୍ବରୁ ସିବିଏସ୍‌ଇ ପକ୍ଷରୁ ଦେଶର ସମସ୍ତ ଅନୁବନ୍ଧିତ ସ୍କୁଲକୁ ଏପରି ଏକ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ସ୍କୁଲ କ୍ୟାଣ୍ଟିନ୍‌ରେ ଜଙ୍କ ଫୁଡ଼ ବିକ୍ରି ନିଷେଧ ଲାଗି ଏଥିରେ କୁହାଯାଇଥିଲା, କେବଳ ସେତିକି ନୁହେଁ, ପିଲାମାନଙ୍କର ଟିଫିନ୍‌ ବାକ୍ସ ଯାଞ୍ଚ କରିବାକୁ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷଙ୍କୁ ସିବିଏସ୍‌ଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍କୁଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ରିପୋର୍ଟ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର