ବୃହସ୍ପତିର ଲୋହିତ ବିନ୍ଦୁ ରହସ୍ୟ ଗୁମର ଫିଟିଲା

ପୃଥିବୀର ଦେଢ଼ ଗୁଣା ଓସାରର ବିକିରଣ 

ଓ୍ଵାସିଂଟନ: ସୌରମଣ୍ଡଳର ସବୁଠୁ ଚର୍ଚ୍ଚିତ ଝଡ଼ର ମାନ୍ୟତା ରଖିଥିବା ବୃହସ୍ପତିର ଲୋହିତ ଶିଖାର ରହସ୍ୟ ଆମେରିକା ଅନ୍ତରୀକ୍ଷ ଗବେଷଣା ସଂସ୍ଥା(ନାସା) ଦ୍ୱାରା ପ୍ରେରିତ ମହାକାଶ ଯାନ ‘ଜୁନୋ’ ହିଁ ଫିଟାଇବାରେ ସକ୍ଷମ ହୋଇଛି। ବୃହସ୍ପତିର ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯାଉଥିବା ଏହି ବୃହତ୍‌ ଅଣ୍ଡାକାର ଲୋହିତ ଅଞ୍ଚଳ ହିଁ ଭୀଷଣ ବିକିରଣର ସାମଗ୍ରିକ ଛବି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ଗତ ଏପ୍ରିଲ ୩ରେ ମପାଯାଇଥିବା ଏହି ଲୋହିତ ଅଞ୍ଚଳର ଦୈର୍ଘ୍ୟ ୧୬,୦୦୦ କିମି ରହିଥିଲା ଯାହା ପୃଥିବୀ ବ୍ୟାସର ପ୍ରାୟ ୧.୩ ଗୁଣ ବଡ଼। ଊନବିଂଶ ଶତାବ୍ଦୀରେ ଏହା ପୃଥିବୀ ବ୍ୟାସର ଦୁଇଗୁଣାରୁ ଅଧିକ  ଲମ୍ବ ହୋଇଥିଲା ବେଳେ ୧୯୭୯ ମସିହାରେ ତାହା ପୃଥିବୀ ବ୍ୟାସର ପାଖାପାଖି ଦୁଇଗୁଣ ଥିଲା ବୋଲି ନାସାର ଅନ୍ୟତମ ମହାକାଶ ଯାନ ଭୟେଜର ସେତେବେଳେ ମାପିଥିଲା। ତେବେ ତାପମାତ୍ରା ଉପରେ ନିର୍ଭର କରି ଏହା ଧୀରେ ଧୀରେ ହ୍ରାସ ହେଉଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଦୀର୍ଘ ୩୫୦ ବର୍ଷ ଧରି ବୃହସ୍ପତିରେ ତିଷ୍ଠି ରହିଥିବା ଏହି ଲୋହିତ ଝଡ଼(ଶିଖା)କୁ ମହାକାଶ ବିଜ୍ଞାନୀମାନେ ୧୮୩୦ ମସିହାରୁ ନିରୀକ୍ଷଣ କରି ଆସୁଛନ୍ତି। ତେବେ ଏହାର ସ୍ଥିତି ଏବଂ ଉତ୍ପତ୍ତି ସଂକ୍ରାନ୍ତରେ କୌଣସି ଠୋସ ନିର୍ଯ୍ୟାସ ମିଳିପାରିନଥିଲା। ଅପରପକ୍ଷେ, ସୌରମଣ୍ଡଳର ଏହି ବୃହତ୍ତମ ଗ୍ରହ ବୃହସ୍ପତି ସମ୍ପର୍କରେ ଗୁଢ଼ ତଥ୍ୟ ଯୋଗାଡ଼ ପାଇଁ ନାସା ପଠାଇଥିବା ମହାକାଶ ଯାନ ଜୁନୋ ବିଭିନ୍ନ ସମୟରେ ନୂଆ ନୂଆ ତଥ୍ୟ ପଠାଇ ବୈଜ୍ଞାନିକମାନଙ୍କୁ ଉଲ୍ଲସିତ କରିଚାଲିଛି। ଗତ ଜୁଲାଇ ମାସରେ ଜୁନୋ ବୃହସ୍ପତି ଉପର ଦେଇ ଗତିକଲା ବେଳେ ଏହି ସଦ୍ୟ ତଥ୍ୟ ସଂଗ୍ରହ କରିଛି। ଏହି ଲୋହିତ ଶିଖା(ଝଡ଼) ବୃହସ୍ପତି ବାୟୁମଣ୍ଡଳର ୩୦୦ କିମି ଯାଏ ବ୍ୟାପିଛି। ସେହିିପରି ଏହାର ଉତ୍ପତ୍ତି ଆମ ମହାସାଗରଗୁଡ଼ିକର ଗଭୀରତାର ୫୦ରୁ ୧୦୦ ଗୁଣ ଗଭୀର ପର୍ଯ୍ୟନ୍ତ ବୃହସ୍ପତି ପୃଷ୍ଠ ଭିତରୁ ହୋଇଥିବା ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର