ଜଷ୍ଟିସ୍‌ ଯୋଶେଫଙ୍କ ପଦୋନ୍ନତି ବିବାଦ ତେଜିଲା

ସରକାର ପ୍ରତିଶୋଧ ପରାୟଣ ହୋଇଛନ୍ତି: କଂଗ୍ରେସ 21

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ସୁପାରିସ୍‌ ନେଇ ପୁଣିଥରେ ବିବାଦ ଉପୁଜିଛି। କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଜଷ୍ଟିସ୍‌ ଜୋଶେଫଙ୍କ ପଦୋନ୍ନତି କରାଉନଥିବା କଂଗ୍ରେସ ଅଭିଯୋଗ କରିଛି। ନ୍ୟାୟିକ ବ୍ୟବସ୍ଥାରେ ଏଭଳି ହସ୍ତକ୍ଷେପ ଗଣତନ୍ତ୍ର ପ୍ରତି ବିପଦ ବୋଲି କଂଗ୍ରେସ କହିଛି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି କଂଗ୍ରେସ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ଏହି ଘଟଣାରେ ସେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଅଭିଯୋଗକୁ ଖଣ୍ଡନ କରିବା ସହ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିବା ଘଟଣାବଳୀକୁ ମନେପକାଇ ଦେଇଛନ୍ତି। କେଉଁଭଳି ପରିସ୍ଥିତିରେ କଂଗ୍ରେସ ଶାସନରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତିରେ ଅନିୟମିତତା କରାଯାଇଥିଲା ସେନେଇ ଜେଟଲି ଆଜି ଫେସବୁକ ପୋଷ୍ଟ ଯୋଗେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏଚ୍‌.ଜେ.କାନିଆ ହାଇକୋର୍ଟଗୁଡ଼ିକରେ ବିଚାରପତି ନିଯୁକ୍ତି ନେଇ ଦେଇଥିବା ସୁପାରିସକୁ କିଭଳି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଖାରଜ କରିଥିଲେ ଓ ତାଙ୍କୁ ଅସମ୍ମାନ କରିଥିଲେ ତାହା ଜେଟଲି ଉଲ୍ଲେଖ କରିଛନ୍ତି। ସେହିଭଳି ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ବମ୍ବେ ଓ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ସୁପାରିସକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ବହୁ ଚର୍ଚ୍ଚିିତ କେଶବାନନ୍ଦ ଭାରତୀ ମାମଲାରେ ଇନ୍ଦିରା ଗାନ୍ଧୀ ସରକାର ଓ ନ୍ୟାୟ ବ୍ୟବସ୍ଥା ମଧ୍ୟରେ ହୋଇଥିବା ବିବାଦ ସମ୍ପର୍କରେ ମଧ୍ୟ ସେ ଉଲ୍ଳେଖ କରିଛନ୍ତି।

ସମ୍ବନ୍ଧିତ ଖବର