ଜଷ୍ଟିସ୍‌ ଲୋୟା ମୃତ୍ୟୁ ଘଟଣା:ସୁପ୍ରିମ୍‌ କୋର୍ଟ ନେଲେ ଆଉ ୨ଟି ମାମଲା

ନୂଆଦିଲ୍ଲୀ,: ସିବିଆଇର ସ୍ୱତନ୍ତ୍ର ଜଜ୍‌ ଜଷ୍ଟିସ୍‌ ବି ଏଚ୍‌ ଲୋୟାଙ୍କ ୨୦୧୪ ମସିହାରେ ସଂଘଟିତ ରହସ୍ୟଜନକ ମୃତ୍ୟୁ ସଂକ୍ରାନ୍ତ ବମ୍ବେ ହାଇକୋର୍ଟ ଏବଂ ଏହାର ନାଗପୁର ଶାଖାରେ ପଡ଼ିରହିଥିବା ଦୁଇଟି ମାମଲାକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ସୋମବାର ନିଜ ଦଖଲକୁ ଆଣିଛନ୍ତି। ଏଥି ସହିତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଲୋୟାଙ୍କ ମୃତ୍ୟୁ ସହ ଜଡ଼ିତ ଦାଖଲ ହୋଇପାରିନଥିବା ସମସ୍ତ ଦସ୍ତାବିଜ୍‌କୁ ଆବେଦନକାରୀମାନେ ଠୁଳ କରିବାକୁ ମଧ୍ୟ ନିର୍ଦ୍ଦେଶ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ତାରିଖରେ ହେବାକୁ ଥିବା ବେଳେ ସେସବୁର ଅଧ୍ୟୟନ ପାଇଁ ଦସ୍ତାବିଜ୍‌ଗୁଡ଼ିକୁ ଧାର୍ଯ୍ୟ ତାରିଖ ପୂର୍ବରୁ ଦାଖଲ କରିବା ପାଇଁ ଖଣ୍ଡପୀଠ କହିଛନ୍ତି। ଅପରପକ୍ଷେ, ତଦନ୍ତ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି।

ସୂଚନା ଥାଉ କି, ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି କଂଗ୍ରେସ ନେତା ତେହସିନ ପୁନାଓ୍ଵାଲା ଏବଂ ମହାରାଷ୍ଟ୍ରର ସାମ୍ବାଦିକ ବି ଏସ୍‌ ଲୋନ୍‌ କରିଥିବା ଆବେଦନର ଶୁଣାଣି କରିବାକୁ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମନା କରିଦେଇଥିଲେ। ତାହାର ଶୁଣାଣି ଆଜି ଜଷ୍ଟିସ୍‌ ମିଶ୍ରଙ୍କ ଖଣ୍ଡପୀଠରେ ହୋଇଥିଲା। ତେବେ ପୂର୍ବରୁ ପଡ଼ିରହିଥିବା ଏହି ଦୁଇଟି ମାମଲାରେ ରହିଥିବା ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ମାନ୍ୟବର ଖଣ୍ଡପୀଠ ସମସ୍ତ ଦସ୍ତାବିଜ୍‌କୁ ଗୁରୁତ୍ୱର ସହ ତନଖିବେ ବୋଲି କହିଛନ୍ତି। ଅପରପକ୍ଷେ, ଲୋୟାଙ୍କ ମୃତ୍ୟୁ ସଂକ୍ରାନ୍ତ କୌଣସି ବି ମାମଲାର ଶୁଣାଣି ଅନ୍ୟ କେଉଁଠି ନକରିବା ପାଇଁ ଏହି ଖଣ୍ଡପୀଠ ସମସ୍ତ ହାଇକୋର୍ଟକୁ ବାରଣ କରିଛନ୍ତି।
ସେହିପରି ଜଷ୍ଟିସ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ବମ୍ବେ ଓକିଲ ସଂଘ(ବିଏଲ୍‌ଏ) ପକ୍ଷରୁ ବମ୍ବେ ହାଇକୋର୍ଟରେ ଗତ ୮ ତାରିଖରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ଏହି ମାମଲାରେ ମହାରାଷ୍ଟ୍ର ସରକାର ଦାଖଲ କରିଥିବା କାଗଜାତ ଅସମ୍ପୂର୍ଣ୍ଣ ବୋଲି ଆଜି ବିଏଲ୍‌ଏ ପକ୍ଷରୁ ଓକିଲ ଦୁଷ୍ମନ୍ତ ଦାଭେ ସୂଚନା ଦେଇଥିଲେ। ଏପରିକି ଜଷ୍ଟିସ୍‌ ଲୋୟାଙ୍କର ମୃତ୍ୟୁ ସନ୍ଦେହଜନକ ଥିଲା ବୋଲି ଦାଭେ ସୂଚନା ଅଧିକାର ଆଇନ ବଳରେ ଜାଣିଥିବା କହିଥିଲେ। ତେବେ ବିଜେପି ଅଧ୍ୟକ୍ଷ ଅମିତ୍‌ଶାହଙ୍କୁ ସୁରକ୍ଷା ଦେବା ଲାଗି ସବୁ କରାଯାଇଛି ବୋଲି ଦାଭେ କହିବାରୁ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ଜଣାଯାଇଛି, ତେଣୁ କିଛି ଆକ୍ଷେପ କରନାହିଁ ବୋଲି ଖଣ୍ଡପୀଠ ତାଗିଦ କରିଥିଲେ। ସେହିପରି ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ଭବିଷ୍ୟତରେ ଗଣମାଧ୍ୟମର ମୁହଁ ବନ୍ଦକରିଦେବେ ବୋଲି ଶୁଣାଣି ବେଳେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ କହିବାରୁ ଜଷ୍ଟିସ ଶ୍ରୀ ମିଶ୍ର ଏଭଳି ଅଯଥା ଭବିଷ୍ୟବାଣୀ ପାଇଁ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର