ଜଷ୍ଟିସ୍‌ ଚେଲମେଶ୍ୱର ପ୍ରଧାନ ବିଚାରପତିଙ୍କୁ ଲେଖିଲେ ପତ୍ର, କହିଲେ ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ ନାମ ପୁନଃ ସୁପାରିସ୍‌ କରିବାକୁ ଚାହୁଁଛି

ନୂଆଦିଲ୍ଲୀ: ସୁପ୍ରମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଜେ ଚେଲମେଶ୍ୱର ବୁଧବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନିକଟକୁ ପୁଣି ଏକ ପତ୍ର ଲେଖିଛନ୍ତି। ତୁରନ୍ତ କଲେଜିୟମ୍‌ର ଏକ ବୈଠକ ଡକାଇବା ସହ ଉତ୍ତରାଖଣ୍ଡର ମୁଖ୍ୟବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ଜରୁରିକାଳୀନ ଭିତ୍ତିରେ ଏକ ପୁନଃ ସୁପାରିସ ପତ୍ର ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟବିଚାରପତି କେଏମ୍‌ ଯୋସେଫ୍‌ଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ୍‌ ପକ୍ଷରୁ ପଠାଯାଇଥିବା ସୁପାରିସ୍‌କୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେବା ସହ ସେଇ ସୁପାରିସ୍‌କୁ ଆଉଥରେ କଲେଜିୟମ୍‌କୁ ଫେରାଇ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ କେଏମ୍‌ ଯୋସେଫ୍‌ଙ୍କର ସୁପ୍ରିମ୍‌ କୋର୍ଟର ବିଚାରପତି ହେବା ପାଇଁ ବରିଷ୍ଠତା ନାହିଁ। ତାଙ୍କ ଉପରେ ଆହୁରି ବହୁ ବରିଷ୍ଠ ବିଚାରପତି ରହିଛନ୍ତି। ଦ୍ୱିତୀୟରେ ଯଦି କେ ଏମ୍‌ ଯୋସେଫ୍‌ କେରଳ ରାଜ୍ୟର ହୋଇଥିବାରୁ ଯଦି ତାଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି କରାଯାଏ ତେବେ ସୁପ୍ରିମ୍‌ କୋର୍ଟରେ ବିଚାରପତିମାନଙ୍କ ମଧ୍ୟରେ ଆଞ୍ଚଳିକ ଭାରସାମ୍ୟ ରହିବ ନାହିଁ। କାରଣ ଏବେ କେରଳରୁ ଦୁଇଜଣ ବିଚାରପତି ସୁପ୍ରିମ୍‌ କୋର୍ଟରେ ଅଛନ୍ତି।

ଏପରିସ୍ଥିତିରେ କଲେଜିୟମର ସଦସ୍ୟ ଥିବା ସୁପ୍ରମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଜେ ଚେଲମେଶ୍ୱର ପ୍ରଧାନ ବିଚାରପତିଙ୍କ ନିକଟକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁୁଁ ଆସନ୍ତା ଜୁନ୍‌ ୨୨ ତାରିଖରେ ଅବସର ନେବି। ଏହା ପୂର୍ବରୁ ମୁଁ ଉତ୍ତରାଖଣ୍ଡର ମୁଖ୍ୟବିଚାରପତି କେଏମ୍‌ ଯୋସେଫ୍‌ଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପୁନଃ ସୁପାରସ୍‌ କରିବାକୁ ଚାହୁଁଛି, ସେଥିପାଇଁ କଲେଜିୟମର ବୈଠକ ଖୁବ୍‌ଶୀଘ୍ର ଡକାଯାଉ। ତେବେ, ଗତକାଲି (ବୁଧବାର) ବସିଥିବା କଲେଜିୟମ ବେଠକରେ ଜଷ୍ଟିସ୍‌ ଚେଲମେଶ୍ୱର ଅନ୍‌ୁପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର