ଜଷ୍ଟିସ୍‌ ଗୋଗୋଇ ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଉତ୍ତରାଧିକାରୀଙ୍କ ନାମ ମାଗିଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‍ ରଞ୍ଜନ ଗୋଗୋଇ ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଅବସର ନେବା ପରେ ଜଷ୍ଟିସ୍‌ ଗୋଗୋଇ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ପ୍ରୋଟୋକଲ୍‌ ଅନୁଯାୟୀ ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ ପାଇଁ କୁହାଯାଇଛି। ଜଷ୍ଟିସ୍‌ ମିଶ୍ର ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଏନେଇ ସୁପାରିସ ପଠାଇବେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗୋଗୋଇ ଏବଂ ସୁପ୍ରିମକୋର୍ଟର ଅନ୍ୟ ୩ଜଣ ବରିଷ୍ଠ ବିଚାରପତି ଗତ ଜାନୁଆରି ୧୨ ତାରିଖରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ମାମଲା ଆବଣ୍ଟନରେ ପକ୍ଷପାତିତା କରାଯାଉଥିବା ନେଇ ସେମାନେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ। ଏହାକୁ ନେଇ ନ୍ୟାୟପାଳିକାରେ ଝଡ଼ ସୃଷ୍ଟି ହୋଇଥିଲା। ୧୯୫୪ ନଭେମ୍ବର ୧୮ରେ ଜନ୍ମଗ୍ରହଣ କରିଥିବା ଗୋଗୋଇ ୧୯୭୮ ମସିହାରେ ହାଇକୋର୍ଟ ବାର୍‌ରେ ଯୋଗଦେଇଥିଲେ। ୨୦୦୧ ଫେବ୍ରୁଆରି ୨୮ରେ ତାଙ୍କୁ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୯ ବର୍ଷ ପରେ ତାଙ୍କୁ ପୁନେ ଏବଂ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା। ତେବେ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ହେବା ପରେ ଜଷ୍ଟିସ୍‌ ଗୋଗୋଇ ବର୍ଷେ ଏକ ମାସ ଏବଂ ୧୪ ଦିନ କାର୍ଯ୍ୟକାଳରେ ରହିବେ ଏବଂ ୨୦୧୯ ନଭେମ୍ବର ୧୭ରେ ଅବସର ନେବେ।

ସମ୍ବନ୍ଧିତ ଖବର