ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା: ଆଭ୍ୟନ୍ତରୀଣ ତଦନ୍ତ କମିଟିରୁ ଓହରି ଗଲେ ଜଷ୍ଟିସ୍‌ ଏନ୍‌ଭି ରମନ୍ନା

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟର ଜନୈକା ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ମାମଲାର ଆଭ୍ୟନ୍ତରୀଣ ତଦନ୍ତ କରିବା ପାଇଁ ଗଠିତ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା କମିଟିରୁ ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମନ୍ନା ନିଜକୁ ଦୂରେଇ ନେଇଛନ୍ତି। ଅଭିଯୋଗକାରିଣୀ ମହିଳା ଜଷ୍ଟିସ୍‌ ଏନ୍‌ଭି ରମନ୍ନାଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଘନିଷ୍ଠ ତଥା ପାରିବାବିକ ବନ୍ଦ୍‌ୁ ବୋଳି ଦର୍ଶାଇ ତଦନ୍ତକାରୀ କମିଟି ସମ୍ମୁଖରେ ଗତ ବୁଧବାର ହାଜର ନହେବାରୁ ଜଷ୍ଟିସ୍‌ ଏନ୍‌ଭି ରମନ୍ନା ଏହି ତଦନ୍ତ କମିଟିରୁ ଆଜି ନିଜକୁ ଦୂରେଇ ନେଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟର ଜନୈକା ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହି ମାମଲାର ବିଚାର ପାଇଁ ସୁପ୍ରିମ୍‌ କୋର୍ଟର ଏକ ‘ଫୁଲ୍‌ ବେଞ୍ଚ’ ବସିଥିଲା। ତେବେ, ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ନିଜକୁ ଏହି ‘ଫୁଲ୍‌ ବେଞ୍ଚ’ରୁ ଦୂରେଇ ରଖିଥିଲେ। ଏବଂ ବରିଷ୍ଠତା ଭିତ୍ତିରେ ପ୍ରଧାନ ବିଚାରପତିଙ୍କ ତଳକୁ ରହିଥିବା ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଦେ ଏହି ‘ଫୁଲ୍‌ ବେଞ୍ଚ’ରେ ଅଧ୍ୟକ୍ଷତା କରିଥିଲେ।

‘ଫୁଲ୍‌ ବେଞ୍ଚ’ର ନିଷ୍ପତ୍ତି ଅନୁଯାୟୀ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟର ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ମାମଲାର ଆଭ୍ୟନ୍ତରୀଣ ତଦନ୍ତ କରିବା ପାଇଁ ତିନି ଜଣ ବିଚାରପତିଙ୍କୁ ନେଇ ଏକ ତଦନ୍ତ କମିଟି ଗଠିତ ହୋଇଥିଲା। ଏହି ତଦନ୍ତ କମିଟିରେ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଦେ, ଜଷ୍ଟିସ୍‌ ଏନ୍‌ଭି ରମନ୍ନା ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ରହିଥିଲେ। ତେବେ, ଜଷ୍ଟିସ୍‌ ଏନ୍‌ଭି ରମନ୍ନା ଏହି ତଦନ୍ତ କମିଟିରୁ ନିଜକୁ ଦୂରେଇ ନେବାପରେ ସୁପ୍ରିମ୍‌ କୋର୍ଟର ‘ଫୁଲ ବେଞ୍ଚ’ ଆଜି ଆଉଥରେ ବସି ଏହି ଆଭ୍ୟନ୍ତରୀଣ ତଦନ୍ତ କମିଟିରେ ଆଉ ଜଣେ ବିଚାରପତିଙ୍କୁ ନିଯୁକ୍ତ କରିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର