ଜଷ୍ଟିସ୍‌ ଯୋଶେଫ୍‌ଙ୍କ ବରିଷ୍ଠତା ହ୍ରାସ ପ୍ରସଙ୍ଗ:ବରିଷ୍ଠତା ଭିତ୍ତିରେ ନିଯୁକ୍ତି ହୋଇଛି: କେନ୍ଦ୍ର

ନୂଆଦିଲ୍ଲୀ: ଜଷ୍ଟିସ୍‌ କେ ଏମ୍‌ ଯୋଶେଫ୍‌ଙ୍କ ବରିଷ୍ଠତା ହ୍ରାସକୁ ନେଇ ଅସନ୍ତୁଷ୍ଟ ଥିବା କିଛି ସୁପ୍ରିମ୍‌କୋର୍ଟ ବିଚାରପତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଜଷ୍ଟିସ୍‌ ଯୋଶେଫ୍‌ଙ୍କ ବାବଦରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ସେମାନେ ଅସନ୍ତୋଷ ଜାହିର କରିବା ସହ ଏ ନେଇ ତୁରନ୍ତ ହସ୍ତକ୍ଷେପ ଲାଗି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି, ବରିଷ୍ଠତା ଭିତ୍ତିରେ ହିଁ ଯୋଶେଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ହାଇକୋର୍ଟ ବିଚାରପତିଙ୍କ ସର୍ବଭାରତୀୟ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ବିନୀତ୍‌ ଶରଣ ଯୋଶେଫ୍‌ଙ୍କ ତୁଳନାରେ ବରିଷ୍ଠ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ, ଏ ପ୍ରସଙ୍ଗରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର ଆଜି ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳଙ୍କୁ ଭେଟି ଆଲୋଚନା କରିଥଲେ। ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ସୁପାରିସ ଅନୁସାରେ ଜଷ୍ଟିସ୍‌ ଯୋଶେଫ୍‌ଙ୍କୁ ଯେଉଁ ସ୍ଥାନରେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ମିଳିବା କଥା ତାହା କରାଯାଇ ନାହିଁ। ବରଂ ଜଷ୍ଟିସ୍‌ ବାନାର୍ଜୀ ଓ ଜଷ୍ଟିସ୍‌ ଶରଣଙ୍କ ପଛକୁ ତାଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ଅନ୍ୟ ବରିଷ୍ଠ ବିଚାରପତିମାନେ କ୍ଷୋଭପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ୍‌ ପ୍ରଥମେ ଜଷ୍ଟିସ୍‌ ଯୋଶେଫ୍‌ଙ୍କ ନାମ ସୁପାରିସ କରିଥିଲା। ଯୋଶେଫ୍‌ଙ୍କ ପରେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ବିନୀତ୍‌ ଶରଣଙ୍କ ନାମ ସୁପାରିସ ହୋଇଥିଲା। ଆରମ୍ଭରୁ ଯୋଶେଫ୍‌ଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାର ସେତେଟା ଆଗ୍ରହ ପ୍ରକାଶ ନ କରି ଏ ସଂକ୍ରାନ୍ତ ନିଷ୍ପତ୍ତି ବିଳମ୍ବିତ କରିଥିଳେ। ତେବେ ବହୁ ବିବାଦ ପରେ କେନ୍ଦ୍ର ସରକାର ଜଷ୍ଟିସ୍‌ ଯୋଶେଫ୍‌ଙ୍କ ନାମକୁ ମଞ୍ଜୁରି ଦେଇଥିଲେ। ଏହାସତ୍ତ୍ୱେ ଯୋଶେଫ୍‌ଙ୍କୁ ସୁପାରିସ ଅନୁସାରେ ନିଯୁକ୍ତି ଦିଆଯାଇନାହିଁ। ଏହାକୁ ନେଇ ଆଜି ସେମାନେ ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର