ମୋଦିଙ୍କ ପାଟନା ରାଲି ୨୦୧୩ ବିସ୍ଫୋରଣରେ ନାବାଳକ ଦୋଷୀ ସାବ୍ୟସ୍ତ

ପାଟନା: ୨୦୧୩ ମସିହାରେ ପାଟନା ଗାନ୍ଧୀ ମୈଦାନ ଏବଂ ବୋଧ ଗୟାସ୍ଥିତ ମହାବୋଧି ମନ୍ଦିରରେ ସିରିଏଲ୍‌ ବୋମା ବିସ୍ଫୋରଣ ମାମଲାରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ବୁଧବାର ଦିନ ୧୯ ବର୍ଷିୟ ତୌଫିକ୍‌ ଅନ୍‌ସାରୀଙ୍କୁ ଦୋଷି ସାବ୍ୟସ୍ତ କରିଛି। ଝାଡ଼ଖଣ୍ଡର ରାଞ୍ଚି ନିକଟବର୍ତ୍ତୀ ସିଥିଓ ବାସଭବନରୁ ତୌଫିକ୍‌ଙ୍କୁ ଏନ୍‌ଆଇଏ ଗିରଫ କରିଥିଲା। ବୋମା ବିସ୍ଫୋରଣ ସମୟରେ ତାଙ୍କୁ ୧୫ ବର୍ଷ ହୋଇଥିଲା।

ବୋର୍ଡର ପ୍ରିଜାଇଡିଙ୍ଗ୍‌ ଅଫିସର୍‌ ଦିବ୍ୟା ମିତା ପ୍ରତି ମାମଲାରେ ତାଙ୍କୁ ଏକ ସ୍ୱତନ୍ତ୍ର ରିମାଣ୍ଡ୍‌ ସଦନକୁ ଅଣାଇଥିଲେ ବୋଲି ଏନ୍‌ଆଇଏର ପବ୍ଲିକ୍‌ ପ୍ରୋଜେକ୍ୟୁଟର୍‌ ଲଲାନ୍‌ ପ୍ରସାଦ ସିହ୍ନା କହିଛନ୍ତି। ଉଭୟ ମାମଲାରେ ଏହା ହେଉଛି ପ୍ରଥମ ରାୟ। ପ୍ରସାଦ କହିଛନ୍ତି ଯେ ତୌଫିକ୍‌ ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ବୋଧଗୟା ମନ୍ଦିର ପରିସର ଏବଂ ଗାନ୍ଧୀ ମୈଦାନରେ ବୋମା ରଖିଥିଲେ। ତାଙ୍କୁ ଇତି ମଧ୍ୟରେ ପାଟନା ସହରସ୍ଥିତ ରିମାଣ୍ଡ୍‌ ହୋମ୍‌ରେ ତିନି ବର୍ଷ ରଖା ସରିଥିଲେ ମଧ୍ୟ ସମୁଦାୟ ଦଣ୍ଡବିଧି ଅବଧି ୬ ବର୍ଷ ହୋଇଥିବାରୁ ତାଙ୍କୁ ହାଜତରେ ରଖାଯିବ।

ଜୁଲାଇ ୭ ତାରିଖ, ୨୦୧୩ ମସିହାରେ ବୋଧଗୟା ମନ୍ଦିରରେ ସିରିଏଲ୍‌ ବିସ୍ଫୋରଣ ଘଟିଥିଲା। ଖଞ୍ଜା ଯାଇଥିବା ୧୩ ବୋମାରୁ ୧୦ଟି ଫୁଟିଥିଲା। ସେ ଯାହାହେଉ, ସେଠାରେ କେହି ମୃତାହତ ହୋଇ ନ ଥିଲେ। କିନ୍ତୁ, ଅକ୍ଟୋବର ୨୭ ତାରିଖ, ୨୦୧୩ ମସିହାରେ ପାଟନା ବିସ୍ଫୋରଣରେ ଛଅ ଜଣ ବ୍ୟକ୍ତି ନିହତ ହେବା ସହ ଆଠ ଜଣ ଆହତ ହୋଇଥିଲେ। ସେଠାରେ ଆୟୋଜିତ ହୁଙ୍କାର ରାଲିରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଥିଲେ। ସେଠାରେ ଆତଙ୍କବାଦୀ ସମର୍ଥୀତ ସଂଘଠନ ଷ୍ଟୁଡେଣ୍ଟ୍‌ ଇସ୍‌ଲାମିକ୍‌ ମୋଭ୍‌ମେଣ୍ଟ୍‌ ଅଫ୍‌ ଇଣ୍ଡିଆ (ସିମ୍‌) ତରଫରୁ ସମୁଦାୟ ନଅଟି ବୋମା ରଖା ଯାଇଥିଲା।

ସିହ୍ନା କହିଛନ୍ତି ତୌଫିକ୍‌ ଜଣେ ସିମି କଠୋରପନ୍ଥୀ। ସିମି ସନ୍ଦିଗ୍ଧଙ୍କ ବିରୋଧରେ ଛତିଶଗଡ଼ରେ ରାୟପୁର ପୁଲିସ ମଧ୍ୟ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ଘଟଣାରେ ସେ ଅଭିଯୁକ୍ତ ହୋଇଥିଲେ। ସେ କହିଛନ୍ତି ଯେ, ବୋଧଗୟା ବିସ୍ଫୋରଣ ଘଟଣାରେ ଆଉ ପାଞ୍ଚ ଜଣ ଏବଂ ଗାନ୍ଧୀ ମୈଦାନ ବିସ୍ଫୋରଣ ଘଟଣାରେ ଆଉ ଦଶ ଜଣଙ୍କ ବିରୋଧରେ ପାଟନାସ୍ଥିତ ଏନ୍‌ଆଇଏ ଅଦାଲତରେ ବିଚାର ଚାଲିଛି।

ସେ କହିଛନ୍ତି ଯେ ଆଇପିସିର ଧାରା ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ନରହତ୍ୟା), ୩୦୭ (ହତ୍ୟା ଉଦ୍ୟମ), ୧୨୧ (ଯୁଦ୍ଧ କରିବାକୁ ଉଦ୍ୟମ), ୧୨୧ଏ ଆଦି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ସମ୍ବନ୍ଧିତ ଖବର