କାବୁଲରେ ଆଇଏସ୍‌ ଆକ୍ରମଣ, ୫୦ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମାଞ୍ଚଳରେ ଆଜି ଏକ ଭୋଟର୍‌ ପଞ୍ଜୀକରଣ କେନ୍ଦ୍ରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅତି କମ୍‌ରେ ୫୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ଥିବା ଜଣାପଡ଼ିଛି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପଞ୍ଜୀକରଣ କେନ୍ଦ୍ର ସଂପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି ଏବଂ ନିକଟରେ ଥିବା ବହୁ କାର୍‌ ଓ ଟ୍ରକ୍‌ ଆଦି ଜଳି ଯାଇଥଛି। ବିସ୍ଫୋରଣ ସ୍ଥଳରୁ ପ୍ରାୟ ୬ଶହ ମିଟର ଦୂରତା ଭିତରେ ଥିବା ବହୁ ଘର କ୍ଷତିଗ୍ରସ୍ତ ହୋଇଛି। କାବୁଲରେ ଆଜି ହୋଇଥିବା ଏହି ବିସ୍ଫୋରଣକୁ ଭାରତ ତୀବ୍ର ନିନ୍ଦା କରିଥିବା ବେଳେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛି। ଗତ ଜାନୁଆରି ମାସରେ କାବୁଲରେ ଆମ୍ବୁଲାନ୍ସ ବିସ୍ଫୋରଣରେ ଶହେ ଜଣଙ୍କର ମୃତ୍ୟୁ ହେବା ପରେ ଏହା ଚଳିତବର୍ଷର ଦ୍ୱିତୀୟ ଭୟାବହ ବିସ୍ଫୋରଣ ବୋଲି କୁହାଯାଉଛି। ଆଫଗାନିସ୍ତାନ ସ୍ୱରାଷ୍ଟ୍ରମନ୍ତ୍ରୀ ନଜିବ ଦୀନେଶଙ୍କ କହିବା ମୁତାବକ, ଆସନ୍ତା ଅକ୍ଟୋବର ମାସରେ ଦେଶରେ ନିର୍ବାଚନ ଥିବାରୁ ମତଦାତା ପଞ୍ଜୀକରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ର ଫାଇଦା ଉଠାଇ ଜଣେ ଆତଙ୍କବାଦୀ ନିଜ ଶରୀରରେ ବୋମା ଖଞ୍ଜି ବିସ୍ଫୋରଣ ଘଟାଇଥିଲା। ୨୦୧୯ରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଷ୍ଟ୍ରପତି ଅସରଫ ଘନୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏଭଳି ଆକ୍ରମଣ କରାଯାଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର