୪୦ ମାସ ପରେ ‘ଗଗନୟାନ’:୧୬ ମିନିଟ୍‌ରେ ମହାକାଶରେ ପହଞ୍ଚିବେ ୩ ଭାରତୀୟ

ନୂଆଦିଲ୍ଲୀ: ତିନି ଭାରତୀୟଙ୍କୁ ମହାକାଶକୁ ପଠାଇବା ନିମନ୍ତେ ‘ଗଗନୟାନ’ ଅଭିଯାନକୁ ଏବେ ଭାରତ ସରକାର ଏବଂ ଇସ୍ରୋ ଜୋର୍‌ଦାର କରିଛନ୍ତି।  ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ କହିଛନ୍ତି ୨୦୨୨ରେ ମାତ୍ର ୧୬ ମିନିଟ୍‌ ମଧ୍ୟରେ ୩ ଜଣ ଭାରତୀୟ ମହାକାଶରେ ପହଞ୍ଚିବେ। ଶ୍ରୀହରିକୋଟାରୁ ପ୍ରକ୍ଷେପଣ ହେବାକୁ ଥିବା ମହାକାଶ ଯାନ ୩ ଭାରତୀୟଙ୍କୁ ମହାକାଶର ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିବାକୁ ମାତ୍ର ୧୬ ମିନିଟ୍‌ ସମୟ ନେବ ବୋଲି ସେ କହିଛନ୍ତି। ମହାକାଶରେ ଏହି ତିନି ଭାରତୀୟ ଅତି କମ୍‌ରେ ୬ରୁ ୭ ଦିନ ବିତାଇବେ। ଏହି ସମୟରେ ସେମାନଙ୍କ ଉପରେ ସୂକ୍ଷ୍ମ ମହାକର୍ଷଣ ବଳ (ମାଇକ୍ରୋ ଗ୍ରାଭିଟି) ଏବଂ ଅନ୍ୟ କେତେକ ବୈଜ୍ଞାନିକ ଗବେଷଣା କରାଯିବ। ପୁଣି ପୃଥିବୀକୁ ଫେରିବା ପାଇଁ ‘ଅର୍ବିଟ ମୋଡ୍ୟୁଲ’ ନିଜର ଗତିପଥ ପରିବର୍ତ୍ତନ କରିନେବ।

ଶିବନ କହିଛନ୍ତି ଯେ ୩ ଭାରତୀୟଙ୍କୁ ନେଇ ଯେବେ ଏହି ଯାନ ମହାକାଶରୁ ପୃଥିବୀ ଆଡ଼କୁ ଆସିବ ସେତେବେଳେ ଏହାର ବ୍ରେକିଂ ବ୍ୟବସ୍ଥା ସ୍ୱୟଂ ସକ୍ରିୟ ହୋଇଯିବ।
ଏହି ମହାକାଶ ଯାନ ଆରବ ସାଗରରେ ଗୁଜରାଟ ତଟରେ ଅବତରଣ କରିବାକୁ ଯୋଜନା ହେଉଛି। ଯଦି ଏଥିରେ କୌଣସି ବୈଷୟିକ ସମସ୍ୟା ଦେଖାଦେବ ତା’ହେଲେ ଏହା ବଙ୍ଗୋପ ସାଗରରେ ଅବତରଣ କରିିବ। ଏହି ଯାନ ଅବତରଣ କରିବାର ମାତ୍ର ୨୦ ମିନିଟ୍‌ ମଧ୍ୟରେ ୩ ଭାରତୀୟଙ୍କୁ ବାହାରକୁ ଅଣାଯାଇ ପାରିବ। ତେବେ ଅନ୍ତରୀକ୍ଷକୁ ମାନବ ପଠାଇବା ପୂର୍ବରୁ ମାନବରହିତ ରକେଟ୍‌ର ପରୀକ୍ଷଣ କରାଯିବ। ପ୍ରଥମ ପରୀକ୍ଷା ୩୦ ମାସ ପରେ ଏବଂ ଦ୍ୱିତୀୟ ପରୀକ୍ଷା ୩୬ ମାସ ପରେ କରାଯିବ। ୪୦ ମାସ ପରେ ୩ ଭାରତୀୟ ପଠାଇବା ପାଇଁ ଚୂଡ଼ାନ୍ତ ଅଭିଯାନ ହେବ। ଏହି ଅଭିଯାନ ପାଇଁ ୧୦ ହଜାର କୋଟିରୁ କମ୍‌ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର