ନୌସେନାରେ ସାମିଲ ହେଲା ‘କଳବରି’

ମୁମ୍ବାଇ: ଭାରତ ମାଟିରେ ନିିର୍ମିତ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କଳବରି’କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭାରତୀୟ ମହାସାଗରର ଅନ୍ୟତମ ଗଭୀର ଜଳ ଶିକାରୀ ଜୀବ କଲଓ୍ଵରି(ଟାଇଗର ସାର୍କ) ନାମରେ ନାମିତ ଏହି ବୁଡ଼ାଜାହାଜ ନିର୍ମାଣ ନିସ୍ପତ୍ତି ହେବାର ୧୮ ବର୍ଷ ପରେ ହିଁ ଆଜି ତାହା ନୌସେନାରେ ସାମିଲ ହୋଇଛି। ଏହି ଅବସରରେ ମୋଦି ନୌସେନାକୁ ଅଭିନନ୍ଦନ ଜଣାଇବା ସହ ଭାରତ ନିର୍ମାଣ ଯୋଜନାର ବଳିଷ୍ଠ ଦୃଷ୍ଟାନ୍ତ ଏହି ବୁଡ଼ାଜାହାଜ ନୌସେନାକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି। ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନୌସେନା ମୁଖ୍ୟ ଆଡମିରାଲ୍‌ ସୁନୀଲ୍‌ ଲାଁବାଙ୍କ ସମେତ ବିଭିନ୍ନ ସେନାଧିକାରୀମାନେ ଉପସ୍ଥିତ ଥିଲେ।

ଭାରତୀୟ ନୌସେନାର ପ୍ରକଳ୍ପ-୭୫ ଅଂଶବିଶେଷ ଡିଜେଲ୍‌ ଓ ବିଦ୍ୟୁତ୍‌ ଚାଳିତ ଏହି ସ୍କର୍ପିନ୍‌ ଶ୍ରେଣୀୟ ବୁଡ଼ାଜାହାଜର ଡିଜାଇନ୍‌ ଫ୍ରାନ୍ସ ନୌସେନା ଏବଂ ଏକ ଏନର୍ଜି କମ୍ପାନି କରିଥିବା ବେଳେ ମୁମ୍ବାଇ ସ୍ଥିତ ମାଜାଗନ୍‌ ଡକ୍‌ ଲି.ରେ ଏହା ନିର୍ମିତ ହୋଇଛି। ଯଦିଓ ପାଞ୍ଚ ବର୍ଷ ତଳୁ ଏହାର ନିର୍ମାଣ ସରିଥିଲା, ତେବେ ଜ୍ଞାନକୌଶଳ ହସ୍ତାନ୍ତର ନେଇ ଉପୁଜିଥିବା ସମସ୍ୟା ଯୋଗୁଁ ଭାରତୀୟ ନୌସେନାରେ ଏହା ସାମିଲ ହେବାରେ ଏପରି ବିଳମ୍ବ ହୋଇଥିଲା। ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଲା, ସମ୍ପୂର୍ଣ୍ଣ ଗଭୀର ଜଳ ଭିତରେ ଏହା ଘଣ୍ଟାକୁ ୩୭ କିମି ପରି ଦ୍ରୁତ ବେଗରେ ଦୀର୍ଘ ୧୦୦୦ କିମି ଯାଏ ଗତିକରିପାରିବ। ସୁତରାଂ ସମଗ୍ର ଦକ୍ଷିଣ-ପୂର୍ବ ଏସିଆ ପାଇଁ ଏହାର ଗୁରୁତ୍ୱ ଢେର୍‌ ଅଧିକ। ସେହିପରି ସମୁଦ୍ର ପତ୍ତନର ୩୫୦ ତଳେ ଚଳାଚଳ କରିପାରୁଥିବା ଏହି ବୁଡ଼ାଜାହାଜକୁ ଠାବ କରିବା ଭାରି କଷ୍ଟସାଧ୍ୟ। ଏଥି ସହିତ ଏଥିରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା(ଡିଆର୍‌ଜଡିଏ) ଦ୍ୱାରା ନିର୍ମିତ ୧୮ଟି ବିଶେଷ ଧରଣର କ୍ଷେପଣାସ୍ତ୍ର ‘ବରୁଣାସ୍ତ୍ର’ ଖଞ୍ଜାଯାଇପାରିବ। ସୂଚନାଯୋଗ୍ୟ, ୧୫୦୦ କେଜି ଓଜନ ଏବଂ ୮ମିଟର ଲମ୍ବର ‘ବରୁଣାସ୍ତ୍ର’ ୨୫୦ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିବା ସହ ୪୦ କିମି ନିଶାଣ ଭିତରେ ଯେ କୌଣସି ବିମାନକୁ ମଧ୍ୟ ଲକ୍ଷ୍ୟଭେଦ କରିପାରିବ।

ସମ୍ବନ୍ଧିତ ଖବର